କାହିଁକି ଭୁଶୁଡିଲା ଆଇନ ଶୃଙ୍ଖଳା, ମୋଦିଙ୍କୁ ମାଗିଲେ ଜବାବ
ପ୍ରଥମେ ସଂସଦ ଏବେ ଜନ୍ତରମନ୍ତର । ଜଣେ ଜଣେ ନେତା ଆସିଲେ କେନ୍ଦ୍ର ଉପରେ ବର୍ଷିଲେ । କାହିଁକି ଭୁଶୁଡିଲା ଆଇନ ଶୃଙ୍ଖଳା, ମୋଦିଙ୍କୁ ମାଗିଲେ ଜବାବ । ସଂସଦରୁ ୧୪୬ ସାଂସଦଙ୍କୁ ନିଲମ୍ବନ ପରେ ଦିଲ୍ଲୀ ଜନ୍ତରମନ୍ତରରେ ଗର୍ଜିଲା ବିରୋଧୀ ଇଣ୍ଡିଆ ମେଣ୍ଟ । ୧୩ ତାରିଖରେ ସଂସଦରେ ହୋଇଥିବା ସୁରକ୍ଷା ତ୍ରୁଟିକୁ ନେଇ ଗୋଟିଏ ପରେ ଗୋଟିଏ ନେତା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କେମିତି ୨ ଯୁବକ ଲୋକସଭା ଗ୍ୟାଲେରିକୁ ଆସିଲେ, ତଳକୁ ଡେଇଁଲେ, ସ୍ମୋକ ସ୍ପ୍ରେ କଲେ ଏହାର ଉତ୍ତର ମାଗିଛନ୍ତି ନେତା । ଏତେ ବଡ଼ ଘଟଣାରେ ଗୃହମନ୍ତ୍ରୀ କାହିଁକି ବିବୃତି ରଖିଲେ ନାହିଁ । ସୁରକ୍ଷାରେ କାହିଁକି ତ୍ରୁଟି ହେଲା କହି ମୋଦି ସରକାରଙ୍କୁ ଘେରିଛନ୍ତି ବିରୋଧୀ ମେଣ୍ଟ ନେତା । କିଏ ସେହି ବ୍ୟକ୍ତି, କେମିତି ଆସିଲା, ଏହାର ଉତ୍ତର ମାଗିବା କଣ ଭୁଲ କି? ୧୪୬ ସାଂସଦଙ୍କୁ କେଉଁ ଆଧାରରେ ନିଲମ୍ବନ କରାଗଲା, ପ୍ରଶ୍ନର ମାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭଲ ଆଇନକୁ ଆମେ ସମର୍ଥନ କରିଥାଉ, ହେଲେ ସରକାର ଯାହା କରୁଛନ୍ତି ତାହା ଭୁଲ କହି ବର୍ଷିଛନ୍ତି ଖଡଗେ । ସେପଟେ ରାହୁଲ ଗାନ୍ଧି ମଧ୍ୟ ସୁରକ୍ଷାରେ କାହିଁକି ତ୍ରୁଟି ହେଲା ମାଗିଛନ୍ତି ଉତ୍ତର । ଖାଲି ଯେ କଂଗ୍ରେସ ନୁହେଁ ମେଣ୍ଟରେ ଥିବା ସିପିଆଇଏମ, ଆରଜେଡି ନେତା ମଧ୍ୟ ସାଂସଦଙ୍କ ନିଲମ୍ବନକୁ ନିନ୍ଦା କରିଛନ୍ତି ସିପିଆଇଏମ ନେତା ସିତାରାମ ୟେଚୁରି କହିଛନ୍ତି, ଦେଶରେ ଗଣତନ୍ତ୍ରର ହତ୍ୟା ହେଉଛି । ଯଦି ଦେଶରେ ଗଣତନ୍ତ୍ର ଏବଂ ସମ୍ବିଧାନ ବଂଚାଇବାକୁ ଚାହୁଁଛନ୍ତି ତାହେଲେ ମୋଦି ସରକାରଙ୍କୁ ହଟାଇବାକୁ ପଡିବ । ସେପଟେ ଆରଜେଡି ନେତା ମନୋଜ ଝା କଟାକ୍ଷ କରି କହିଛନ୍ତି, ଏ ସରକାର ବିରୋଧୀ ମୁକ୍ତ ସଂସଦ ଚାହୁଁଛନ୍ତି, ଖେଳାଳି ମୁକ୍ତ ପଡିଆ ଚାହୁଁଛନ୍ତି, କୌଣସି ମିଡିଆ ଏ ସରକାରଙ୍କୁ ଯେମିତି ପ୍ରଶ୍ନ ନ କରିବ ତାହା ଚାହୁଁଛନ୍ତି ସରକାର ।