ସ୍ବାମୀ ଦେଲେନି ହାର, ହାତ ଭାଙ୍ଗିଦେଲେ ସ୍ତ୍ରୀ
ସ୍ତ୍ରୀକୁ ୬ ଲକ୍ଷର ସୁନା ହାର ଦେଇ ନପାରିବାରୁ ସ୍ବାମୀର ହାତ ଭାଙ୍ଗିଦେଲା ସ୍ତ୍ରୀ । ସ୍ବାମୀ ଏବେ ହସ୍ପିଟାଲ ବେଡରେ । ସ୍ୱାମୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ପତ୍ନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି । ଉତ୍ତରପ୍ରଦେଶ ଆଲିଗଡ଼ର କୋଟବାଲୀ ନଗରରେ ରହୁଥିବା ପୀଡ଼ିତ ୱାଜିଦ ଖାନ କହିଛନ୍ତି ଯେ, ୨୦୨୨ ଜୁଲାଇ ୧୭ରେ ଇକ୍ରାଙ୍କ ସହିତ ତାଙ୍କର ବିବାହ ହୋଇଥିଲା | ମୁସଲମାନ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା । ଏହା ପରେ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ୱାଜିଦ୍ ଅଭିଯୋଗ କରିଛନ୍ତି ଯେ ତାଙ୍କ ବିବାହ ପରଠାରୁ ପତ୍ନୀ ଇକ୍ରା ସବୁବେଳେ ଯୁକ୍ତିତର୍କ କରନ୍ତି । ସବୁବେଳେ ଝଗଡ଼ା ଏବଂ ମାଡ଼ପିଟ କରୁଥିବାରୁ ଏ ନେଇ ନିକଟସ୍ଥ ପୋଲିସ୍ ଷ୍ଟେସନରେ ସ୍ବାମୀ ଅଭିଯୋଗ କରିଥିଲେ । ଇକ୍ରାଙ୍କ ବିରୋଧରେ ମାମଲା ଦାୟର ହୋଇଥିବା ସେ ଜାଣିବା ପରେ ତାଙ୍କ ବାପଘର ଲୋକେ ରାଗି ଯାଇଥିଲେ। ମାମଲା ଶାନ୍ତ ପଡ଼ିବା ପରେ ଦୁହେଁ ଅଲଗା ଘରେ ରହୁଥିଲେ । କିନ୍ତୁ ଇକ୍ରା ତାଙ୍କ ସ୍ବାମୀଙ୍କୁ ସବୁବେଳେ ହଇରାଣ କରୁଥିଲେ | କେବଳ ଏତିକି ନୁହେଁ, ଇକ୍ରାଙ୍କ ପରିବାର ସଦସ୍ୟ ଅତିକ୍ ଅହମ୍ମଦ ନାଁରେ ୱାଜିଦଙ୍କୁ ଧମକ ଦେଇଥିଲେ ଏବଂ ଇକ୍ରାଙ୍କୁ ୬ ଲକ୍ଷ ଟଙ୍କାର ଏକ ସୁନା ହାର କିମ୍ବା ତାଙ୍କ ଆକାଉଣ୍ଟରେ ୬ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ। ୱାଜିଦ୍ ପତ୍ନୀଙ୍କ ଏହି ଦାବି ପୂରଣ କରିବାକୁ ମନା କରିଦେଲେ । ଏହା ପରେ ପତ୍ନୀ କ୍ରୋଧିରେ ବେଲଣା କାଠିରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ତାଙ୍କର ହାତ ଭାଙ୍ଗି ଯାଇଥିଲା। ପାଟିରେ ତକିଆ ଦେଇ ବି ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।