୪ ବର୍ଷର ଶିଶୁକୁ ଟେକିନେଲା କଲରାପତ୍ରିଆ ବାଘ

କୁନି ଝିଅକୁ ନେଇଗଲା ବାଘ, ଉଦ୍ଧାର ହେଲା ଶବ

ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଅଘଟଣ । ଗୋଟିଏ ୪ ବର୍ଷୀୟ ବାଳିକାକୁ ଏକ କଲରାପତ୍ରିଆ ବାଘ ନେଇଯାଇଥିବା ଖବର ସାମ୍ନାକୁ ଆସିଛି । ପଞ୍ଚେରୀ ତହସିଲ୍‌ ଅନ୍ତର୍ଗତ ଉପର ଭଞ୍ଜାଲା ଗ୍ରାମଠାରୁ ପ୍ରାୟ ୨ କିଲୋମିଟର୍‌ ଦୂରରେ ସ୍ଥାନୀୟ ଲୋକେ ଶିଶୁଟିର କ୍ଷତାକ୍ତ ଶବ ଉଦ୍ଧାର କରିଥିବା କଥା ବନ ବିଭାଗର ରେଞ୍ଜ୍‌ ଅଫିସର୍‌ ରାକେଶ ଶର୍ମା ଗଣମାଧ୍ୟମକୁ କହିଛନ୍ତି । ଘଟଣାଟି ଶନିବାର ରାତି ୭ଟାରୁ ୮ ମଧ୍ୟରେ ଘଟିଥିବା ପରିବାର ପକ୍ଷରୁ ସୂଚନା ରହିଛି । ମୃତା ଶିଶୁ ତାନୁ । ପିଲା ନିଖୋଜ ହେବା ଖବର ପାଇବାକ୍ଷଣି ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ବନ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ତଲାସ କାର୍ଯ୍ୟ ଆରମ୍ଭ ହୋଇସାରିଥିଲା । ଦୁଃଖର କଥା ଯେ ପୋଲିସ ଶିଶୁଟିକୁ ମୃତାବସ୍ଥାରେ ଉଦ୍ଧାର କରିଛି । ଉକ୍ତ କଲରାପତ୍ରିଆକୁ ଧରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି । ବାଳିକାର ପରିବାରବର୍ଗଙ୍କୁ ଶୀଘ୍ର କ୍ଷତିପୂରଣ ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।