ରାହୁଲ ୱାୟନାଡ ଆସନ ଛାଡ଼ିଲେ ପ୍ରିୟଙ୍କା ହୋଇପାରନ୍ତି ପ୍ରାର୍ଥୀ

ୱାୟନାଡରୁ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ!

ୱାୟନାଡରୁ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ। ରାହୁଲ ୱାୟନାଡ ଆସନ ଛାଡ଼ିଲେ ପ୍ରିୟଙ୍କା ହୋଇପାରନ୍ତି ପ୍ରାର୍ଥୀ। ୨୦୨୪ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଭୟ ରାଏବରେଲି ଏବଂ ଓ୍ବାୟନାଡ ଆସନରୁ ଲଢ଼ିଥିଲେ ବିଜୟୀ ମଧ୍ୟ ହୋଇଥିଲେ। କିନ୍ତୁ ଆଇନ ଅନୁସାରେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ହେବ । ତେବେ ରାହୁଲ ରାଏବରେଲି ଆସନ ରଖି ଓ୍ବାୟନାଡକୁ ଛାଡ଼ିପାରନ୍ତି। ଏପରିକି ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏହି ଆସନରୁ ଲୋକସଭା ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଥିଲେ ମୋ ପୁଅ ରାହୁଲଙ୍କୁ ତୁମମାନଙ୍କୁ ଦେଲି। ଯାହା ସେତେବେଳେ ବେଶ୍ ଚର୍ଚ୍ଚାରେ ମଧ୍ୟ ରହିଥିଲା। ସେଥିପାଇଁ କୁହାଯାଉଛି ରାହୁଲ ଗାନ୍ଧୀ ରାଏବରେଲି ଆସନକୁ ନିଜ ପାଖରେ ରଖିବେ ଏବଂ ଓ୍ବାୟନାଡ ଆସନକୁ ଛାଡ଼ିବେ। ସୋନିଆ ଏହି ଆସନକୁ ପରିବାରର ୧୨୧ ବର୍ଷର ପରମ୍ପରା ମଧ୍ୟ କହିଥିଲେ। ନିୟମ ମୁତାବକ ଯଦି କୌଣସି ପ୍ରାର୍ଥୀ ନିର୍ବାଚନ ସମୟରେ ୨ ଆସନରୁ ଲଢ଼ନ୍ତି ଏବଂ ଉଭୟରେ ବିଜେତା ହୁଅନ୍ତି ତେବେ ଫଳାଫଳ ଆସିବାର ୧୪ଦିନ ମଧ୍ୟରେ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିଥାଏ। ଯଦି ଗୋଟିଏ ଆସନ ନ ଛାଡନ୍ତି ତେବେ ଜିତିଥିବା ୨ଟି ଯାକ ଆସନ ହାତରୁ ଯାଇପାରେ। ତେବେ ଦେଖିବାକୁ ବାକି ରହିଲା ରାହୁଲ ଗାନ୍ଧୀ କେଉଁ ଆସନ ରଖୁଛନ୍ତି ଏବଂ କେଉଁ ଆସନ ଛାଡୁଛନ୍ତି।