ଟି-୨୦ ବିଶ୍ୱକପ ପାଇଁ ମ୍ୟାଚ୍‌ ସୂଚୀ ଘୋଷଣା କରିଛି ଆଇସିସି

T20 ବିଶ୍ୱକପ ମ୍ୟାଚ୍‌: ନ୍ୟୁୟର୍କରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ

ଟି-୨୦ ବିଶ୍ୱକପ ପାଇଁ ମ୍ୟାଚ୍‌ ସୂଚୀ ଘୋଷଣା କରିଛି ଆଇସିସି । ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବ ଚଳିତ ବର୍ଷର ଟି-୨୦ ବିଶ୍ୱକପ । ୨୦ଟି ଟିମକୁ ନେଇ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଜୁନ ୧ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଆୟୋଜକ ଆମେରିକା ଓ କାନାଡା। ୧୮୪୪ରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ଦୁଇ ଦଳ ସାମ୍ନାସାମ୍ନି ହୋଇଥିଲେ। ଏବେ ପୁଣି ଥରେ ଆମେରିକା ଓ କାନାଡା ଲଢ଼େଇ କରିବେ। ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ୍‌ ଜୁନ ୯ରେ ଖେଳାଯିବ। ନ୍ୟୁୟର୍କରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଟି-୨୦ ବିଶ୍ୱକପର ଗ୍ରୁପ ଏରେ ଭାରତ ରହିଛି। ଭାରତ ସହ ଆମେରିକା, ପାକିସ୍ତାନ, କାନାଡା ଓ ଆୟର୍ଲ୍ୟାଣ୍ଡ ଏହି ଗ୍ରୁପରେ ରହିଛନ୍ତି। ଭାରତ ତା’ର ବିଶ୍ୱକପ ଅଭିଯାନ ଜୁନ ୫ରେ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବ। ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ ଆମେରିକା ଓ ଜୁନ ୧୫ରେ ଦଳ ଶେଷ ଲିଗ ମ୍ୟାଚ୍‌ କାନାଡା ବିପକ୍ଷରେ ଖେଳିବ । ଟି-୨୦ ବିଶ୍ୱକପର ଦୁଇ ସେମି ଫାଇନାଲ ଜୁନ ୨୬ ଓ ୨୭ରେ ଖେଳାଯିବ। ଜୁନ ୨୯ରେ କ୍ରିକେଟ ମହାକୁମ୍ଭର ଫାଇନାଲ ବାରବାଡୋସରେ ଅନୁଷ୍ଠିତ ହେବ। ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପରେ ୨୦ଟି ଦଳ ଭାଗ ନେଉଛନ୍ତି। ଏମାନଙ୍କୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏ ଦଳ ରହିଛନ୍ତି। ଲିଗ ମ୍ୟାଚ୍‌ ପରେ ପ୍ରତି ଗ୍ରୁପରୁ ୨ଟି ଲେଖାଏ ଦଳ ଗ୍ରୁପ ୮ ପର୍ଯ୍ୟାୟକୁ ଯିବେ ।