ସବୁବେଳେ ମନେରହିବ ଚନ୍ଦ୍ରଯାନର ଲ୍ୟାଣ୍ଡିଂ ଦିନ

ପ୍ରତିବର୍ଷ ଅଗଷ୍ଟ ୨୩, ଭାରତ ପାଳିବ ଜାତୀୟ ମହାକାଶ ଦିବସ

ସାରା ଦେଶ ପାଳିବ ଜାତୀୟ ମହାକାଶ ଦିବସ । ଆଉ ତାହାପୁଣି ପ୍ରତିବର୍ଷ ଅଗଷ୍ଟ ୨୩ ତାରିଖକୁ । ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗ୍ରୀସରୁ ଫେରି ସିଧା ଇସ୍ରୋ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ସେଠାରେ ଚନ୍ଦ୍ରାୟନ-୩ରେ ନିୟୋଜିତ ତଥା ଇସ୍ରୋର ପ୍ରତ୍ଯେକ ବୈଜ୍ଞାନିକଙ୍କୁ ଭୂରିଭୂରି ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ତେବେ ଏହି ଦିନ ବା ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂକୁ ଅବିସ୍ମରଣୀୟ କରିବା ଲାଗି ଏହି ଦିନ ଅର୍ଥାତ ଅଗଷ୍ଟ ୨୩ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ । ଏନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ବେଙ୍ଗାଲୁର ଇସ୍ରୋ ମୁଖ୍ୟାଳୟରେ ପହଂଚିବା ପରେ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହା ସହ ମୋଦୀ କହିଛନ୍ତି କି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଣ୍ଟର ମଧ୍ୟ ନାମକରଣ କରାଯାଇଛି । ଯେଉଁଠାରେ ବିକ୍ରମ ଲ୍ୟାଣ୍ଡର ଅବତରଣ କରିଥିଲା, ସେହି ସ୍ଥାନର ନାଁ ଶିବଶକ୍ତି ରଖାଯାଇଛି । ଖାଲି ସେତିକି ନୁହେଁ ଚନ୍ଦ୍ରଯାନ-୨ର ପାଦଚିହ୍ନ ସ୍ଥାନକୁ ମଧ୍ୟ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସ୍ଥାନର ନାଁ ତ୍ରିରଙ୍ଗା ପଏଣ୍ଟ । ଏହା ପରେ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ ଖୁସିର ସୀମା ରହିନଥିଲା । ଏବଂ ଏହି କଥାକୁ ମଧ୍ୟ ଦେଶବାସୀ ବେସ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।