“ଯୁଦ୍ଧରେ ଦେଶକୁ ବଞ୍ଚାଇଲି, ହେଲେ ସ୍ତ୍ରୀକୁ ରକ୍ଷା କରିପାରିଲିନି”!

ମଣିପୁରରେ ଘଟିଥିବା ଲଜ୍ଜା ସାରା ଦେଶକୁ ମର୍ମାହତ କରିଛି । ଦୁଇ ମହିଳାଙ୍କୁ ଦୁଷ୍କର୍ମ ପରେ ଉଲଗ୍ନ କରି ବୁଲାଇବା ଓ ଅସଦାଚରଣ କରିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଦେଶବାସୀ ସ୍ତବ୍ଧ ହୋଇଯାଇଥିଲେ । ସବୁଠି ନାରାବାଜି ଆଉ ହାଳ୍ଳାବୋଲ, ସଭିଙ୍କ ମୁହଁରେ ଗୋଟିଏ କଥା ଖୁବ ଶୀଘ୍ର ଦୋଷୀଙ୍କୁ ଦଣ୍ଡ ମିଳୁ । ଏ ଘଟଣା ଏତେ ସ୍ପର୍ଶକାତର ଥିଲା କି ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ କୋହ ରହିବନି । ୨ଜଣ ପୀଡ଼ିତ‌ାଙ୍କ ମଧ୍ୟରୁ ଜଣକଙ୍କ ସ୍ବାମୀ ଭାରତୀୟ ସେନାର ପୂର୍ବତନ ସୁବେଦାର ‌ବୋଲି ଜଣାପଡ଼ିଛି ।

ଉକ୍ତ ପୀଡ଼ିତାଙ୍କ ସ୍ବାମୀ କୋହଭରା କଣ୍ଠରେ କହିଛନ୍ତି,‘‘କାରଗିଲ ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ଲଢ଼ିଥିଲି। କିନ୍ତୁ ଲୋ‌କେ ସ୍ତ୍ରୀଙ୍କୁ ବିବସ୍ତ୍ର କରି ବୁଲାଉଥିବା ବେଲେ ମୁଁ ତାହାକୁ ଅଟକାଇ ପାରିଲିନାହିଁ। ତାଙ୍କୁ ସୁରକ୍ଷା ଦେଇ ପାରିଲି ନାହିଁ। ଅପମାନିତ ହେବାରୁ ବଞ୍ଚାଇ ପାରିଲି ନାହିଁ। ସେଥିପାଇଁ ନିଜକୁ ଦୋଷୀ ମନେ କରୁଛି। ପୁଲିସକୁ ନି‌ବେଦନ କରୁଛି କି ଦୋଷୀକୁ କଠୋର ଦଣ୍ଡ ଦିଆଯାଉ। ଯେମିତି ଆଉ ଆଗକୁ ଏମିତି କାମ କେହି କରିବାକୁ ଚିନ୍ତା ବି କରିବେନି।’’ ଅନ୍ୟପଟେ ଏହି ଜଘନ୍ୟ ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି।

ଆସାମ୍ ରେଜିମେଣ୍ଟରେ କାର୍ଯ୍ୟ କରିଥିବା ଏହି ଅବସରପ୍ରାପ୍ତ ସୁବେଦାର କାରଗିଲ୍ ଯୁଦ୍ଧରେ ସାମିଲ୍ ହେବା ସହ ଭାରତୀୟ ଶାନ୍ତିସେନାର ଜଣେ ସଦସ୍ୟ ଭାବେ ଶ୍ରୀଲଙ୍କାରେ ମଧ୍ୟ ଲଢ଼େଇ କରିଥିଲେ। ସେ କହିଛନ୍ତି, ‘‘ ମୁଁ ଅତ୍ୟନ୍ତ ମର୍ମାହତ ଓ ଅବସାଦଗ୍ରସ୍ତ। ଦୁଃଖର ବିଷୟ ହେଲା, ଘଟଣା ଘଟୁଥିବା ବେଳେ ପୁଲିସ ଉପସ୍ଥିତ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଯେଉଁମାନେ ମହିଳାମାନଙ୍କର ସମ୍ମାନହାନି କରିଛନ୍ତି ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବାକୁ ମୁଁ ଦାବି କରୁଛି।’’

ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂହ କହିଛନ୍ତି ଯେ, ‘ଘଟଣାର ଅଧିକ ତଦନ୍ତ ଚାଲିଛି। ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଗିରଫ କରାଯାଇ ଦେଶର ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବ। ଗିରଫ ଅଭିଯୁକ୍ତଙ୍କୁ କଡ଼ାରୁ କଡ଼ା ଦଣ୍ଡ ଦିଆଯିବ।’ ଅନ୍ୟପଟେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଦୀର୍ଘଦିନ ଧରି କାହିଁକି ମୌନ ଥିଲେ ଏହାର ଜବାବ ମାଗିଛନ୍ତି ବିରୋଧୀ ।