ସ୍ତ୍ରୀକୁ ଗୁଳି ମାରିଲେ ସ୍ଵାମୀ , ନିଜକୁ ବି ବଞ୍ଚାଇ ପାରିଲେନି !
ଭାବିଥିଲେ ସବୁ ଝଗଡାର ଅନ୍ତ ଘଟିବ ସ୍ତ୍ରୀକୁ ମାରିଦେବା ପରେ । ଆଉ ସ୍ତ୍ରୀକୁ ମାରିବାକୁ ଉଠାଇଲେ ବନ୍ଧୁକ ଫୁଟାଇଲେ ଗୁଳି । ଯେଉଁ ସ୍ତ୍ରୀକୁ ଦିନେ କଥା ଦେଇଥିଲେ ସାତ ଜନମକୁ ସାଥି କରିବା ପାଇଁ କ୍ରୋଧର ବଶବର୍ତ୍ତୀ ହୋଇ ଭୁଲିଗଲେ ସବୁ ପ୍ରତିଶ୍ରୁତିକୁ । ଆଉ ଗୁଳି କରି ନେଲେ ସ୍ତ୍ରୀର ଜୀବନ । ଭାବିଥିଲେ ସ୍ତ୍ରୀକୁ ମାରିବା ପରେ ସବୁ ରାଗ ଶାନ୍ତ ପଡିଯିବ । ହେଲେ ଏ ଘଟଣା ପରେ ନିଜକୁ ବି ବଞ୍ଚାଇପାରିଲେନି ସ୍ଵାମୀ ଜଣଙ୍କ । ସଙ୍ଗେ ସଙ୍ଗେ ହୃଦଘାତରେ ଚାଲିଗଲା ଜୀବନ । ଏଭଳି ଏକ ଅଭାବନୀୟ କରୁଣ ପରିଣତି ଦେଖିବାକୁ ମିଳିଛି ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ । ଜଣେ ବ୍ୟକ୍ତି ଗୁଳି କରି ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରେ ସେ ବି ଟଳି ପଡ଼ିଥିବା ଜଣାଯାଇଛି। ବ୍ୟକ୍ତିଜଣଙ୍କର ହୃଦଘାତରେ ଜୀବନ ଯାଇଥିବା ଜଣାଯାଇଛି।
ମାୟାନଗରୀ ମୁମ୍ବାଇରେ ରହୁଥିବା ଦିଲ୍ଲୀପ ସାଲବୀଙ୍କ ଘରୁ ଅଚାନକ ଗୁଳି ଫୁଟିବା ଶବ୍ଦ ଶୁଭାଗଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଯାଇ ଯାହା ଦେଖିଲେ ତାହାକୁ ବିଶ୍ୱାସ କରି ପାରିଲେନି। କାରଣ ଘର ଚଟାଣରେ ଦିଲ୍ଲୀପ ସାଲବୀଙ୍କ ପତ୍ନୀଙ୍କ ମୃତଦେହ ପଡ଼ିଥିବା ବେଳେ ତା’ ନିକଟରେ ତାଙ୍କ ମୃତଦେହ ବି ପଡ଼ିଥିଲା।ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦିଲ୍ଲୀପ ସାଲବୀଙ୍କ ପତ୍ନୀଙ୍କ ଶରୀରରେ ୨ ରାଉଣ୍ଡ ଗୁଳି ବାଜିଥିବା ବେଳେ ଦିଲ୍ଲୀପଙ୍କର କିନ୍ତୁ ହୃଦଘାତରେ ଜୀବନ ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ଦେଖିବାକୁ ମିଳିଛି ।