ଜେଲ ଗଲେ ହେମନ୍ତ ସୋରେନ
ଜେଲ ଗଲେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୋରେନଙ୍କୁ ଦିନିକିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ । ହେମନ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ଏବଂ ଜମି ଘୋଟଲା ମାମଲାରେ ଗତକାଲି ତାଙ୍କୁ ଗିରଫ କରିଥିଲା ଇଡି । ଆଜି ହେମନ୍ତ ସୋରେନଙ୍କୁ କୋର୍ଟରେ ହାଜର କରିଥିଲା ଇଡି । ଗତକାଲି ଦୀର୍ଘ ଘଂଟାର ପଚରା ଉଚୁରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ । ସେପଟେ ଜମି ଦୁର୍ନୀତି ମାମଲାରେ ଗିରଫଦାରି ବିରୋଧରେ ହାଇକୋର୍ଟ ଯାଇଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଝଟକା ଲାଗିଛି । ଜରୁରୀ ଶୁଣାଣିର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ । ଏଥିପାଇଁ ଆସନ୍ତାକାଲି ଶୁଣାଣି ହେବ । ଗିରଫଦାରି ବିରୋଧରେ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଛି । ଆସନ୍ତାକାଲି ସୁପ୍ରିମକୋର୍ଟରେ ବି ଶୁଣାଣି ହୋଇପାରେ ।