ଉତ୍ତରପ୍ରଦେଶ ହାଥରସ୍‌ ଅଘଟଣ, CBI ତଦନ୍ତ ଦାବି

ହାଥରସ ଦଳାଚକଟା, ମୃତ୍ୟୁସଂଖ୍ୟା ୧୨୧କୁ ବୃଦ୍ଧି

ଉତ୍ତରପ୍ରଦେଶ ହାଥରସ୍‌ ଫୁଲୁରୀ ଗାଁରେ ସତ୍‌ସଙ୍ଗ ବେଳେ ବଡ଼ ଅଘଟଣ । ସତସଙ୍ଗରେ ଦଳାଚକଟା ହୋଇ ଚାଲିଯାଇଛି ୧୨୧ ଜୀବନ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ସୂଚନା ରହିଛି । ହାଥରସରେ ପ୍ରବଚନ ଦେଉଥିଲେ ଭୋଲେ ବାବା। ତାଙ୍କୁ ଶୁଣିବାକୁ ଯୋଗ ଦେଇଥିଲେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ। ପୁରୁଷ, ମହିଳା, ଶିଶୁ ଓ ବୟସ୍କ। ଶ୍ରଦ୍ଧାଳୁଙ୍କ ଏତେ ଭିଡ଼ ଥିଲା ଯେ, ପାଦ ପକାଇବାକୁ ଜାଗା ନଥିଲା। ଏହାରି ଭିତରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ବର୍ତମାନ ସୁଦ୍ଧା ୧୨୧ ଲୋକଙ୍କ ଜୀବନ ଯାଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।


ଏହି ଘଟଣାର ତଦନ୍ତ ଆରମ୍ଭ ଆରମ୍ଭ ହୋଇଛି ତନାଘନା। ସତସଙ୍ଗରେ ପ୍ରବଚନ ଦେଉଥିବା ଭୋଲେ ବାବାଙ୍କୁ ଖୋଜୁଛି ପୋଲିସ। ଉତ୍ତର ପ୍ରଦେଶ ମଇନପୁରୀ ଜିଲ୍ଲାର ରାମ କୁଟୀର ଚାରିଟେବୁଲ ଟ୍ରଷ୍ଟରେ ଯାଇ ପୋଲିସ ଛାନଭିନ୍ କରିଛି। ରାତି ତମାମ ପୋଲିସ ଭୋଲେବାବାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବାବାଙ୍କର କୌଣସି ପତ୍ତା ମିଳିନି। ଏପଟେ ଦଳାଚକଟା ଘଟଣାରେ ପୋଲିସ ମାମଲା ରୁଜୁ କରିସାରିଥିବା ଉତ୍ତର ପ୍ରଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି। ଯିଏ ବି ଦୋଷୀ ତାଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତର ପ୍ରଦେଶ ମନ୍ତ୍ରୀ କହିଛନ୍ତି। ସେପଟେ ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଘଟଣାକୁ ନେଇ ଛାନଭିନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଘଟଣ ପରେ ହାଥରସରେ ପୋଲିସ ଛାଉଣି କରାଯାଇଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଘଟଣାସ୍ଥଳରେ ଫରେନସିକ ଓ ଡଗ ସ୍କ୍ୱାର୍ଡ ମଧ୍ୟ ଯାଞ୍ଚ କରୁଛନ୍ତି ।