‘’ଦାନ ଘରେ ଇ-ଲାଇବ୍ରେରୀ କରିବାକୁ ଅନୁରୋଧ’’

ପୈତୃକ ଘର ଦାନ କଲେ ହରିୟାଣା ମୁଖ୍ୟମନ୍ତ୍ରୀ

ନିଜ ପୈତୃକ ଘର ଦାନ କଲେ ହରିୟାଣା ମୁଖ୍ୟମନ୍ତ୍ରୀ । ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି । ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ରୋହତକରୁ ଭିବାନୀ ଯିବା ସମୟରେ ତାଙ୍କ ପୈତୃକ ଗ୍ରାମ ବାନିୟାନିରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହ କିଛି ସମୟ କଥାବାର୍ତ୍ତା ହେବା ସହ ନିଜ ପୈତୃକ ସମ୍ପତ୍ତି ଅର୍ଥାତ ପୈତୃକ ଘରକୁ ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରିଥିଲେ । ପୈତୃକ ସମ୍ପତ୍ତି ଦାନ କରିବା ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଗ୍ରାମବାସୀଙ୍କୁ କହିଥିଲେ, ‘ଆଜ୍ଞା ଆଜି ମୁଁ ଆପଣଙ୍କୁ ମୋ ମନର କଥା ଖୋଲି କହୁଛି । ପୈତୃକ ସମ୍ପତ୍ତି ଦାନ କରିବା ନିଷ୍ପତ୍ତି ମୁଁ ବହୁତ ଭାବି ଚିନ୍ତି ନେଇଛି । କାରଣ ଏହି ଘର ମୋର ମାତାପିତାଙ୍କ ପ୍ରତୀକ। ଯାହାକୁ ସେମାନେ ମୋ ନାମରେ କରିଥିଲେ । ଏହି ପ୍ରତୀକକୁ ମୁଁ ଆପଣମାନଙ୍କ ହାତକୁ ‌‌ଟେକି ଦେଉଛି । ମୋ ଆଶା ଦାନ କରିଥିବା ଏହି ପୈତୃକ ଘରେ ଏକ ଇ-ଲାଇବ୍ରେରୀ ତିଆରି କରାଯାଉ । ଯାହାକି ଗାଁର ପରବର୍ତ୍ତୀ ପିଢ଼ି ପାଇଁ ଉପଯୋଗୀ ହେବ । ଛାତ୍ରଛାତ୍ରୀ ଏହା ଦ୍ବାରା ‌କେମିତି ଉପକୃତ ହେବେ ତାହାକୁ ଧ୍ୟାନରେ ରଖି ଇ-ଲାଇ‌ବ୍ରେରୀ ଗଢ଼ାଯାଉ।’