ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ସଙ୍କଟରେ ହରିୟାଣା ବିଜେପି ସରକାର । ସମର୍ଥନ ପ୍ରତ୍ୟାହର କଲେ ୩ ସ୍ୱାଧୀନ ବିଧାୟକ । ସଂଖ୍ୟା ଲଘୁରେ ପରିଣତ ହେଲା ସୈନି ସରକାର । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ସହ ତୁରନ୍ତ ବିଧାନସଭା ନିର୍ବାଚନ କରିବାକୁ ଦାବି କରିଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା । ଦେଶରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ହରିୟାଣାରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ହରିୟାଣା କଂଗ୍ରେସ ସଭାପତି ଉଦୟ ଭାନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡାଙ୍କ ଉପସ୍ଥିତିରେ ୩ ନିର୍ଦ୍ଦଳୀୟ ବିଧାୟକ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଏବଂ କଂଗ୍ରେସକୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । () ୧୨ମାର୍ଚ୍ଚରେ ହିଁ ହରିୟାଣାରେ ନୂଆ ସରକାର ଗଠନ ହୋଇଥିଲା । ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ନାଏବ ସିଂ ସୈନି ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୩ ମାର୍ଚ୍ଚ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । ବିଧାନସଭାରେ ଏହି ପ୍ରସ୍ତାବ କାଟ ଖାଇଥିଲା । ନିୟମ ଅନୁସାରେ ଏବେ ଆଉ ୬ ମାସ ଯାଏଁ ଅନାସ୍ଥା ପ୍ରସ୍ତାବ ଅଣାଯାଇପାରିବ ନାହିଁ । ତେଣୁ ବିଜେପି ସରକାର ଅଳ୍ପମତରେ ଥିଲେ ବି ବଡ ଦଳ ଭାବେ ରହିବ । ସେପଟେ କଂଗ୍ରେସ ପାଖରେ ୪୫ ବିଧାୟକଙ୍କ ସମର୍ଥନ ଥିବା ହୁଡ୍ଡା ଦାବି କରିଛନ୍ତି । ସମର୍ଥନ ପ୍ରତ୍ୟାହାର କରିଥିବା ବିଧାୟକ ଗୋନ୍ଧର କହିଛନ୍ତି ମନୋହର ଲାଲ ଖଟ୍ଟର କ୍ଷମତାରେ ଥିବା ପର୍ଯ୍ୟନ୍ତ ଆମେ ସମର୍ଥନ ଦେବୁ ବୋଲି କହିଥିଲୁ । କିନ୍ତୁ ସେ ଆଉ କ୍ଷମତାରେ ନାହାନ୍ତି । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ପ୍ରତ୍ୟାହାର କରିଛୁ ହରିୟାଣା ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ହେଉଛି ୯୦ । ୩ ସ୍ୱାଧୀନ ବିଧାୟକ ଇସ୍ତଫା ଦେବା ପରେ ଏହା ୮୮କୁ ଖସିଆସିଛି । ବହୁମତ ପାଇଁ ୪୫ ବିଧାୟକଙ୍କ ସମର୍ଥନ ଦରକାର । ବିଜେପି ପାଖରେ ବର୍ତ୍ତମାନ ୪୩ ବିଧାୟକଙ୍କ ସମର୍ଥନ ରହିଛି । ସେପଟେ କଂଗ୍ରେସ ପାଖରେ ୩୦ ବିଧାୟକ ରହିଥିବା ବେଳେ ଜେଜେପିର ୧୦, ସ୍ୱାଧୀନ ଏବଂ ଅନ୍ୟାନ୍ୟରୁ ୫ ବିଧାୟକଙ୍କ ସମର୍ଥନ ରହିଥିବା ଦଳ ଦାବି କରିଛି । ତେବେ କଣ ହେବ ହରିୟାଣା ଭାଗ୍ୟ । ନାଏବ ସିଂ ସୈନୀଙ୍କ ସରକାର ଭାଙ୍ଗିବ ନା ରହିବ । ଚଳିତବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସମୟକୁ ଅପେକ୍ଷା କରାଯିବ ନା ଜଲଦି ହେବ ହରିୟାଣ ବିଧାନସଭା ନିର୍ବାଚନ ତାହା ଦେଖିବାକୁ ବାକି ରହିଲା ।