ଆଜିଠୁ କମିବ ପିଆଜ ଦର 

ପିଆଜ କିଲୋକୁ ୨୫ ଟଙ୍କା, ଜାଣନ୍ତୁ କେଉଁଠି ମିଳୁଛି ଶସ୍ତା ପିଆଜ

ଆଜିଠୁ କମିବ ପିଆଜ ଦର । ଖୁଚୁରାରେ କିଲୋ ପ୍ରତି ୨୫ ଟଙ୍କାରେ ପିଆଜ ବିକ୍ରି ହେବ । ଏହାର ଲାଭ ଉଠାଇପାରିବେ ସାଧାରଣ ଜନତା । ୨୫ ଟଙ୍କାରେ ପିଆଜ ବିକିବ ଜାତୀୟ ଉପଭୋକ୍ତା କୋଅପରେଟିଭ ସଂଘ ତଥା ଏନସିସିଏଫ । ବଢୁଥିବା ଦର ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଷ୍ଟକ ପରିମାଣ ୩ ଲକ୍ଷ ମେଟ୍ରିକ ଟନରୁ ୫ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରାଯାଇଛି । ୩ ଲକ୍ଷ ମେଟ୍ରିକ ଟନ ଷ୍ଟକ ରଖିବାକୁ ଲକ୍ଷ୍ୟ ରଖଯାଇଥିଲା । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ୨ ଲକ୍ଷ ମେଟ୍ରିକ ଟନ ପିଆଜ ଆମଦାନୀ କରାଯିବ । ଏଥିପାଇଁ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ଏନସିସିଏଫକୁ ଓ ନାଫେଡକୁ ନିର୍ଦ୍ଦେଶ ଦେଇଛନ୍ତି । ପିଆଜ ମୂଲ୍ୟରେ ହୋଇଥିବା ବୃଦ୍ଧିକୁ ରୋକିବା ଏବଂ ତାହାର ଦାମ୍ କମାଇବା ଲାଗି କେନ୍ଦ୍ରୀୟ ଭଣ୍ଡାରରୁ ପିଆଜ ବାହାର କରି ଅନ୍ୟତ୍ର ପଠାଯାଉଛି । ଯେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ଦାମ୍‌ ଜାତୀୟ ହାରାହାରି ଦାମ୍‌ଠାରୁ ଅଧିକ ରହିଛି, ସେହି ଅଞ୍ଚଳଗୁଡ଼ିକୁ ପ୍ରଥମେ ପିଆଜ ପଠାଯାଉଛି । ଭଣ୍ଡାରରୁ ୧୪୦୦ ଟନ୍ ପିଆଜ ବାହାର କରାଯାଇ ସାରିଲାଣି । ସରକାରୀ ତଥ୍ୟ ଅନୁସାରେ ଦେଶରେ ପିଆଜର କେଜି ପିଛା ହାରାହାରି ଦାମ୍ ୨୯ ଟଙ୍କା ୭୩ ପଇସା ରହିଛି । ଗତବର୍ଷ ଏହି ସମୟରେ ଦାମ୍ ୨୫ ଟଙ୍କା ଥିଲା । ଦିଲ୍ଲୀରେ କେଜି ପିଛା ୩୭ ଟଙ୍କାରେ ପିଆଜ ବିକ୍ରି ହେଉଛି ।