ଯମୁନା ନଦୀର ସତର୍କ ଘଣ୍ଟି

ଜଳମୟ ହୋଇପାରେ ଦିଲ୍ଲୀ

ଦିଲ୍ଲୀରେ ଯମୁନା ନଦୀର ସତର୍କ ଘଣ୍ଟା । ପୁରା ଦିଲ୍ଲୀକୁ ଜଳମୟ କରିପାରେ ଯମୁନା । ବୁଧବାର ୪୫ ବର୍ଷର ରେକର୍ଡ ଭାଙ୍ଗି ଯମୁନା ନଦୀର ଜଳସ୍ତର ରେକର୍ଡ ସ୍ତରକୁ ବୃଦ୍ଧି ପାଉଛି । ଏପରି ସ୍ଥିତିରେ ଦିଲ୍ଲୀ ସରକାର ଯମୁନା ନଦୀ ନିକଟବର୍ତ୍ତୀ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ତୁରନ୍ତ ସ୍ଥାନାନ୍ତରିତ ହେବାକୁ ଅନୁରୋଧ କରିଛନ୍ତି । ଆମକୁ ପ୍ରଥମେ ଜୀବନ, ସମ୍ପତ୍ତିର ସୁରକ୍ଷା କରିବାକୁ ପଡ଼ିବ। ଯମୁନା ନଦୀ ନିକଟବର୍ତ୍ତୀ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି କେଜ୍ରିୱାଲ କହଛନ୍ତି । ପରିସ୍ଥିତି ପ୍ରତି ସଜାଗ ରହିବାକୁ ଦିଲ୍ଲୀ ସରକାର ଏନଡିଆରଏଫକୁ ସତର୍କ କରାଇଛନ୍ତି । ଯମୁନାରେ ଜଳସ୍ତର ଲଗାତର ବୃଦ୍ଧି ପାଉଥିବାରୁ ଆବଶ୍ୟକ ପଡ଼ିଲେ ସ୍କୁଲଗୁଡ଼ିକୁ ରିଲିଫ୍ କ୍ୟାମ୍ପରେ ପରିଣତ କରିବାକୁ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ୨୦୭.୭୧ ମିଟରକୁ ବୃଦ୍ଧି ପାଇଛି, ଯାହା କି ୧୯୭୮ର ୨୦୭.୪୯ ମିଟରର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି । ଯମୁନାରେ ଜଳସ୍ତର ବୃଦ୍ଧି ପରେ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ବସିଥିଲା । ଏହି ସଙ୍କଟକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସହରର ସମ୍ବେଦନଶୀଳ ଅଞ୍ଚଳରେ ସମାବେଶ ଉପରେ କଟକଣା ଲଗାଇଛି ।