ନିରପେକ୍ଷ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି

ନିର୍ବାଚନ ପୂର୍ବରୁ ଧରା ହେଲାଣି ୪,୬୫୦ କୋଟି

ଜୋରଦାର ହେଉଛି ରେଡ୍‌ । ଏଥର ରେକର୍ଡ ପରିମାଣର ଟଙ୍କା ଜବତ । ନିରପେକ୍ଷ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ନିର୍ବାଚନ କମିଶନ । ବିଭିନ୍ନ ପ୍ରକାର ଦିଗକୁ ଗୁରୁତ୍ୱ ଦେଇଛନ୍ତି । ଯେମିତିକି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ, ସେଥିପାଇଁ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିବା ବେଳେ ରେଡ୍‌ ମଧ୍ୟ ଜୋରଦାର କରାଯାଉଛି । ଅସାମାଜିକ ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି ନିର୍ବାଚନ କମିଶନର । ଆସନ୍ତା ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟିଂ ହେବ। ତେବେ ନିର୍ବାଚନ ପୂର୍ବରୁ ଧରାପଡ଼ିଛି କୋଟି କୋଟି ଟଙ୍କା। ବର୍ତ୍ତମାନ ସୁଦ୍ଧା ୪,୬୫୦ କୋଟି ଜବତ କରାଯାଇଥିବା ନିର୍ବାଚନ କମିଶନର ସୂଚନା ଦେଇଛନ୍ତି, ଯାହା ଭାରତ ଇତିହାସରେ ପ୍ରଥମ। ନିର୍ବାଚନରେ ଧନବଳର ପ୍ରଭାବ ରୋକିବା ପାଇଁ ମାର୍ଚ୍ଚ ୧ ତାରିଖରୁ ଚଢ଼ାଉ ଚାଲିଛି। ପ୍ରତି ଦିନ ହାରାହାରି ୧୦୦ କୋଟିରୁ ଅଧିକ ଟଙ୍କା ଜବତ ହେଉଛି। ପ୍ରବର୍ତ୍ତନ ଅଧିକାରୀ, ଫ୍ଲାଇଂ ସ୍କ୍ୱାଡ, ଷ୍ଟାଟିଷ୍ଟିକ୍‌ ସର୍ଭେଲାନ୍ସ ଟିମ୍‌ ପ୍ରତିଦିନ ଏଥିପାଇଁ କାମ କରୁଛନ୍ତି। ପ୍ରତି ଚେକ୍‌ ପୋଷ୍ଟରେ ଚେକିଂ ହେଉଛି। ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହେବା ପୂର୍ବରୁ ବର୍ତ୍ତମାନ ସୁଦ୍ଧା ୪,୬୫୦ କୋଟି ଜବତ ହୋଇ ସାରିଲାଣି, ଯାହା ୨୦୧୯ ଲୋକସଭା ନିର୍ବାଚନରେ ଜବତ ହୋଇଥିବା ଟଙ୍କା ଠାରୁ ଢ଼େର ଅଧିକ ବୋଲି ନିର୍ବାଚନ କମିଶନର କହିଛନ୍ତି।
କେବଳ ସେତିକି ନୁହେଁ ନିର୍ବାଚନ ବେଳେ ଯେପରି ଟଙ୍କା ବଣ୍ଟନ, ମଦ ଓ ମାଗଣାରେ ଜିନିଷ ବଣ୍ଟନ ଓ ଡ୍ରଗ୍ସ କାରବାରକୁ ରୋକିବା ପାଇଁ ମଧ୍ୟ ପ୍ରାୟସ ଜାରି ରହିଛି। ଏଥିପ୍ରତି ଅଧିକାରୀମାନେ ନଜର ରଖିଛନ୍ତି ବୋଲି ନିର୍ବାଚନ କମିଶନର କହିଛନ୍ତି।
ଜବତ ହୋଇଥିବା ୪୬୫୦ କୋଟି ମଧ୍ୟରେ ୩୯୫.୯୫ କୋଟିର ନଗଦ ଟଙ୍କା, ୪୮୯.୩୧ କୋଟିର ମଦ, ୨୦୬୮.୫୮ କୋଟିର ଡ୍ରଗ୍ସ, ୫୬୨.୧୦ କୋଟିର ସୁନା ଓ ୧୧୪୨.୪୯ କୋଟିର ଅନ୍ୟାନ୍ୟ ସାମଗ୍ରୀ ଥିବା ସୂଚନା ମିଳିଛି।