ମିଜୋରାମବାସୀଙ୍କ କଥା ରଖି ଇସି ବଦଳାଇଲେ ରେଜଲ୍ଟ ଡେ
ଲୋକଙ୍କ ଦାବି ଯୋଗୁଁ ବଦଳିଲା ମିଜୋରାମରେ ଭୋଟ ଗଣତି ତାରିଖ । ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନର ଭୋଟଗଣତି ତାରିଖ । ରବିବାର ପରିବର୍ତ୍ତେ ସୋମବାର ବା ଡିସେମ୍ବର ୪ରେ ଭୋଟ୍ ଗଣତି ହେବ । ଏନେଇ ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ରାଜ୍ୟର ଲୋକମାନଙ୍କ ଦାବିକୁ ମାନି କମିସନ ଏହି ନିଷ୍ପତ୍ତି ନେଇଛନ୍ତି । ମିଜୋରାମବାସୀଙ୍କ ପାଇଁ ରବିବାରର ବିଶେଷ ମହତ୍ତ୍ୱ ରହିଛି। କାରଣ ରାଜ୍ୟର ପ୍ରାୟ ୮୭ ପ୍ରତିଶତ ଲୋକ ଖ୍ରୀଷ୍ଟଧର୍ମାବଲମ୍ବୀ ଓ ସେମାନେ ରବିବାର ପ୍ରାର୍ଥନା କରିବାକୁ ଚର୍ଚ୍ଚ ଯାଆନ୍ତି। ୩ ତାରିଖ ରବିବାର ପଡ଼ୁଥିବାରୁ ଏହାକୁ ବଦଳାଇବାକୁ ଲୋକେ ଦାବି କରିଥିଲେ । ଏହି କାରଣରୁ ତାରିଖରେ ପରିବର୍ତ୍ତନ କରାଯାଇଛି । ମିଜୋରାମର ୪୦ଟି ଆସନ ପାଇଁ ନଭେମ୍ବର ୭ତାରିଖରେ ମତଦାନ ହୋଇଥିଲା।
ନିର୍ବାଚନ କମିସନଙ୍କ ପୂର୍ବ ନିଷ୍ପତ୍ତି ଅନୁସାରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ଦିନ ଅର୍ଥାତ୍ ଡିସେମ୍ବର ୩ ତାରିଖରେ ବି ମିଜୋରାମରେ ଗଣତି ହୋଇ ନିର୍ବାଚନ ଫଳାଫଳ ଆସିବାର ଥିଲା। ଏବିପି ନ୍ୟୁଜ୍-ସି ଭୋଟର ଏକ୍ଜିଟ୍ ପୋଲ୍ ଅନୁଯାୟୀ ଶାସକ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟ ବା ଏମ୍ ଏନ୍ ଏଫ୍ ୪୦ଟି ଆସନରୁ ୧୫ରୁ ୨୧ଟି ଆସନ ପାଇପାରେ। ଜୋରାମ ପିପୁଲ୍ସ ମୁଭମେଣ୍ଟ ବା ଜେଡପିଏମକୁ ୧୨ରୁ ୧୮ଟି ଆସନ ମିଳିବ ବୋଲି ଆଶା କରାଯାଉଛି। ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେ ଅନୁଯାୟୀ ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ ବା ଏମଏନଏଫକୁ ୪୦ ଆସନ ବିଶିଷ୍ଟ ବିଧାନସଭାରେ ୧୪ରୁ ୧୮ ଟି ଆସନ ମିଳିପାରେ । ଜୋରାମ ପିପୁଲ୍ସ ମୁଭମେଣ୍ଟ ବା ଜେଡପିଏମକୁ ୧୨ରୁ ୧୬, କଂଗ୍ରେସକୁ ୮ରୁ ୧୦ ଏବଂ ବିଜେପିକୁ ସର୍ବାଧିକ ୨ଟି ଆସନ ମିଳିପାରେ।