ଆପର ନିର୍ବାଚନୀ ପ୍ରଚାର ଗୀତ ଉପରେ ରୋକ
ଆପର ନିର୍ବାଚନୀ ପ୍ରଚାର ଗୀତ ଉପରେ ରୋକ ଲଗାଇଲେ ଇସିଆଇ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆପ୍ ନେତ୍ରୀ ଆତିଶୀ ମାର୍ଲେନା । ଦଳ ପକ୍ଷରୁ ରିଲିଜ୍ ହୋଇଥିବା ‘ଜେଲ୍ କେ ଜୱାବ ମେଁ ହମ୍ ଭୋଟ୍ ଦେଙ୍ଗେ’ ଗୀତ ଉପରେ କଟକଣା ଲଗାଯାଇଛି । ଆତିଶୀ କ୍ଷୋଭବ୍ୟକ୍ତ କରି କହିଛନ୍ତି, “ନିର୍ବାଚନ ଆୟୋଗ ପକ୍ଷପାତିତା କରୁଛନ୍ତି। ବିଜେପି ଯେତେବେଳେ ବିରୋଧୀ ଦଳ ନେତାଙ୍କୁ ଥାନାରେ ରଖିବା ପାଇଁ ଇଡି ଆଉ ସିବିଆଇଙ୍କୁ ବ୍ୟବହାର କରୁଛି ସେତେବେଳେ ଆୟୋଗ କିଛି ବଦଳାଇ ପାରୁନାହାନ୍ତି।” କିନ୍ତୁ କେହି ଯଦି ଏହି କଥାକୁ କ୍ୟାମ୍ପେନ ମାଧ୍ୟମରେ କହିବାକୁ ଚାହୁଁଛି ସେତେବେଳେ ନିର୍ବାଚନ ଆୟୋଗଙ୍କୁ ଅସୁବିଧା ହୋଇଯାଉଛି। ଏହା କେବଳ ଏକଛତ୍ରବାଦୀ ସରକାରର ଲକ୍ଷଣ ବୋଲି ଆତିଶୀ କହିଛନ୍ତି। ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ମହାରାଷ୍ଟ୍ରର ଉଦ୍ଧବ ଠାକେରଙ୍କ ଗୋଷ୍ଠୀର ପ୍ରଚାର ସଂଗୀତରୁ କିଛି ଶବ୍ଦ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ। ସଂଗୀତରେ ଥିବା ‘ହିନ୍ଦୁ’ ଏବଂ ‘ଜୟ ଭବାନୀ’ ଶବ୍ଦ ବଦଳାଇବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ଶବ୍ଦ ଆମେ ହଟାଇବୁ ନାହିଁ ବୋଲି ଉଦ୍ଧବ ଠାକରେ ସିଧା ସିଧା ମନା କରିଦେଇଥିଲେ।