ଛତିଶଗଡ଼ ଓ ମିଜୋରାମ ଭୋଟ୍ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି !
ଆଜି ଛତିଶଗଡ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ । ଏଥିପାଇଁ ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ଛତିଶଗଡର ପ୍ରଥମ ପର୍ଯ୍ୟାୟ ଏବଂ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ହେଉଛି ମତଦାନ । ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ 20 ଆସନରେ ଭୋଟ ଗ୍ରହଣ ହେଉଛି । ମୋଟ 233 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ମତଦାନ କରିବେ ଭୋଟର୍। ଅନ୍ୟପଟେ ଗତକାଲି କଂଗ୍ରେସ ଛତିଶଗଡ଼ରେ ଏହାର ନିର୍ବାଚନୀ ଘୋଷଣାପତ୍ର ଆଣି ମତଦାତାଙ୍କୁ ଖୁସି କରିବା ଲାଗି ଚେଷ୍ଟା କରିଛି। ଆସନ୍ତା ୧୭ରେ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ତେବେ ଡିସେମ୍ବର ୩ରେ ଭୋଟ ଗଣତି ହେବ।
ସେହିପରି ମିଜୋରାମରେ ମଧ୍ୟ ଆଜି ବିଧାନସଭା ନିର୍ବାଚନ । ସମସ୍ତ ୪୦ ଯାକ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ ମିଜୋରାମ ବୋର୍ଡର ଲାଗିଥିବା ମିଆଁମାର ଏବଂ ବାଙ୍ଗଲାଦେଶ ସୀମାକୁ ପୁରା ସିଲ କରାଯାଇଛି । ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଂଟ ଏବେ କ୍ଷମତାରେ ରହିଛି । ଦଳର ନେତା ଜୋରାମଥାଙ୍ଗା ମୁଖ୍ୟମନ୍ତ୍ରୀ ରହିଛନ୍ତି । ୨୦୧୮ରେ ଦଳ ୪୦ଟି ଆସନରୁ ୨୮ଟି ଆସନ ଜିତିଥିଲା । ଏଠାରେ ଶାସକ ଏମଏନଏଫ୍, ବିରୋଧୀ ମିଜୋରାମ୍ ପିପୁଲସ ମୁଭମେଂଟ ଓ କଂଗ୍ରେସ ସମସ୍ତ ୪୦ଟି ଯାକ ଆସନରେ ପ୍ରାର୍ଥୀ ଦେଇଛନ୍ତି । ବିଜେପି ୨୩ଟି ଓ ଆପ୍ ୪ଟି ଆସନରେ ପ୍ରାର୍ଥୀ ଛିଡା କରାଇଛି ।