ଗିରଫଦାରୀ ବିରୋଧରେ କରାଯାଇଥିବା ଆବେଦନ ଖାରଜ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଝଟକା । ଇଡିର ଗିରଫଦାରୀ ବିରୋଧରେ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ଏହି ଆବେଦନକୁ ଖାରଜ କରିଛନ୍ତି । ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀକୁ ଯଥାର୍ଥ ବୋଲି କହିବା ସହ ତାଙ୍କର ସମସ୍ତ ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଇଡି ତଦନ୍ତ ବେଳେ ପାଇଥିବା ସାମଗ୍ରୀ ଗିରଫଦାରୀ ପାଇଁ ଯଥେଷ୍ଟ ବୋଲି କୋର୍ଟ କହିଛନ୍ତି। ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଥିବାରୁ ସେ ପୂର୍ବଭଳି ତିହାର ଜେଲରେ ରହିବେ। କାରଣ ଏପ୍ରିଲ ୧୫ ଯାଏ ତଳ କୋର୍ଟ କେଜ୍ରିୱାଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା। ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ କେଜ୍ରିୱାଲଙ୍କ ଆପ ସୁପ୍ରିମକୋର୍ଟ ଯିବ ବୋଲି କହିଛି। ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହା ବିରୋଧରେ ସେ ହାଇକୋର୍ଟକୁ ଯାଇଥିଲେ। ଆଜି ଶୁଣାଣି ବେଳେ କୋର୍ଟ କହିଛନ୍ତି, ଇଡି ଜବତ କରିଥିବା ସାମଗ୍ରୀରୁ ସ୍ପଷ୍ଟ ହୋଇଛି ଯେ କେଜ୍ରିୱାଲ ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ। ନିଜର ବ୍ୟକ୍ତିଗତ କ୍ଷମତା ଓ ଆପର ଜାତୀୟ ଆବାହକ ଭାବେ ସେ ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ। ଇଡି ପାଖରେ ଏମିତି କିଛି ସାମଗ୍ରୀ ରହିଛି, ଯାହା ମନିଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଯଥେଷ୍ଟ। ପ୍ରଥମେ ଗିରଫ ଓ ପରେ ରାଜସାକ୍ଷୀ ବନିଥିବା କିଛି ଲୋକଙ୍କ ବୟାନ ଆଧାରରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିବା ଠିକ ନୁହେଁ ବୋଲି କୋର୍ଟରେ ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। କିନ୍ତୁ ଏହାକୁ ମଧ୍ୟ କୋର୍ଟ ଗ୍ରହଣ କରି ନାହାନ୍ତି। କୋର୍ଟ କହିଛନ୍ତି, “ରାଜସାକ୍ଷୀଙ୍କୁ କ୍ଷମା ଦେବା ଇଡିର କ୍ଷମତା ନୁହେଁ। ଏହା ନ୍ୟାୟିକ ପ୍ରକ୍ରିୟା। ଯଦି ଆପଣ କ୍ଷମା ଦେବା ଉପରେ ପ୍ରଶ୍ନ ଉଠାଉଛନ୍ତି, ତା’ହେଲେ ଆପଣ ବିଚାରପତିଙ୍କ ଉପରକୁ ଅଙ୍ଗୁଳି ଦେଖାଉଛନ୍ତି। ଟ୍ରାଏଲ ବେଳେ ରାଜସାକ୍ଷୀଙ୍କ ବୟାନକୁ ବିଚାର କରାଯାଏ। ଶୁଣାଣି ବେଳେ ଏଠାରେ ଅରବିନ୍ଦ କେଜ୍ରିୱାଲ ଏହାର ସମୀକ୍ଷା କରିପାରିବେ।”