ଜି-୨୦ ଶିଖର ସମ୍ମିଳନୀ ପାଇଁ ଚିନ୍ତାରେ ଦିଲ୍ଲୀ ସରକାର
ଆସନ୍ତା ସେପ୍ଟେମ୍ବରମାସରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଗୋଟିଏ ନିର୍ଦ୍ଦିଷ୍ଟ କାରଣ ପାଇଁ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ତାହା ହେଉଛି ବାମ ଷ୍ଟିୟରିଂ ଗାଡ଼ି । ଆମେରିକା, ଫ୍ରାନ୍ସ, ଚୀନ ଆଦି ବିଶ୍ବର ଅନେକ ଦେଶରେ ବାମ ଷ୍ଟିୟରିଂ ବିଶିଷ୍ଟ ଗାଡ଼ି ଚାଲେ । କିନ୍ତୁ ଭାରତ,ବ୍ରିଟେନ, ଅଷ୍ଟ୍ରେଲିଆ ଆଦି ଦେଶରେ ଡାହାଣ ପଟେ ଷ୍ଟିୟରିଂ ଥିବା ଗାଡ଼ି ଚାଲେ । ଏଣୁ ଜି-୨୦ ସମ୍ମିଳନୀ ବେଳେ ଉଭୟ ପ୍ରକାରର ଗାଡ଼ି ଦିଲ୍ଲୀକୁ ଆସିବ । ଏଣୁ ଟ୍ରାଫିକ ସମସ୍ୟାକୁ ନେଇ ଦିଲ୍ଲୀ ପୁଲିସ ଓ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ରାସ୍ତାରେ ଏକାସାଙ୍ଗରେ ଡାହାଣ ହାତ ଓ ବାମ ପାର୍ଶ୍ୱ ଗାଡି ଚଳାଇବା ଦ୍ୱାରା ବହୁ ଅସୁବିଧା ହୋଇପାରେ ବୋଲି ଟ୍ରାଫିକ ପୋଲିସ ଆଶଙ୍କା କରୁଛି । ଜି-୨୦ ଶିଖର ସମ୍ମିଳନୀକୁ ଆସୁଥିବା ନେତାମାନେ ନିଜେ କିଛି ଗାଡି ଆଣିବେ ଏବଂ କିଛି ବାମ ହାତ ଡ୍ରାଇଭ ଗାଡି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ବିଦେଶୀ ନେତାଙ୍କ ପାଇଁ କିଣାଯିବ । ଦିଲ୍ଲୀ ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ନେତାମାନେ ଦିଲ୍ଲୀ ଓ ଗୁରୁଗ୍ରାମର ହୋଟେଲରେ ରହିବେ। ସେଠାରୁ ସେମାନେ ପ୍ରଗତି ମଇଦାନରେ ପହଞ୍ଚିବେ। ଯେଉଁଠାରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସେମାନେ ରାଜଘାଟ ମଧ୍ୟ ଯିବେ। ଜି-୨୦ ଦେଶମାନଙ୍କ ମଧ୍ୟରେ କେବଳ ଭାରତ, ଅଷ୍ଟ୍ରେଲିଆ, ଜାପାନ, ଦକ୍ଷିଣ ଆଫ୍ରିକା ଏବଂ ବ୍ରିଟେନରେ ଡାହାଣ ପଟ ଯାନ ଥିବା ବେଳେ ବାକି ଦେଶମାନଙ୍କରେ ବାମ ପଟ ଯାନ ରହିଛି।