ଲୋକସଭାରେ ତିନୋଟି ବିଲ୍ ଆଗତ

ବଦଳିବ ବ୍ରିଟିସ୍ ଯୁଗର ଆଇନ,

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ଲୋକସଭାରେ ତିନୋଟି ବିଲ୍ ଆଗତ କରିଛନ୍ତି। ତିନୋଟି ବିଲ୍ ଉପସ୍ଥାପନ କରି ଅମିତ ଶାହା ଗୃହରେ କହିଛନ୍ତି ଯେ ବ୍ରିଟିସ୍ ଯୁଗର ଅପରାଧିକ ଆଇନ ବଦଳାଯିବ। ୧୮୬୦ ମସିହାର ଇଣ୍ଡିଆନ୍ ପେନାଲ୍ କୋଡ୍( ଆଇପିସି) ପରିବର୍ତ୍ତନ ହେବ। ତେବେ ଏହି ନୂତନ ବିଲରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ଦେଶଦ୍ରୋହ ଆଇନ ରଦ୍ଦ ହେବାକୁ ଥିବାବେଳେ ଧାରା ୧୫୦ ଏହାର ସ୍ଥାନ ନେବ | ଯେଉଁଥିରେ ଦେଶର ଏକତା, ଅଖଣ୍ଡତାକୁ ବିପଦରେ ପକାଉଥିବା ଅପରାଧକୁ ସାମିଲ କରାଯିବ | ସେହିପରି ଭିଡ ହିଂସା ପାଇଁ ବିଲରେ ନୂଆ ଆଇନ ଅଣାଯାଇଛି | ଭିଡ ହିଂସାରେ ସାମିଲ ଥିବା ଦୋଷୀଙ୍କ ବିରୋଧରେ ମୃତ୍ୟୁଦଣ୍ଡର ପ୍ରାବଧାନ ବିଲରେ ଥିବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ବି ମୃତ୍ୟୁଦଣ୍ଡ ମିଳିବ | ନୂଆ ନିୟମରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧରେ ଦଣ୍ଡକୁ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ୨୦୨୭ ପୂର୍ବରୁ ଦେଶର ସମସ୍ତ କୋର୍ଟ କମ୍ପ୍ୟୁଟରୀକରଣ ହେବ।