ସାଂସଦଙ୍କୁ ଆକ୍ରମଣ କଲା କାଉ

ଝୁଠ୍ ବୋଲେ କଓ୍ବା କାଟେ: BJP

ମୌସୁମୀ ଅଧିବେଶନରେ ଭାଗ ନେବାକୁ ଯାଉଥିବା ବେଳେ କାଉ ଆକ୍ରମଣର ଶିକାର ହେଲେ ସାଂସଦ । ସଂସଦ ଭବନକୁ ଆସୁଥିବାବେଳେ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଏକ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିଥିଲେ । ସଂସଦ ଭବନ ବାହାରେ ଫୋନରେ କଥା ହେଉଥିବା ବେଳେ ରାଘବ କାଉ ଆକ୍ରମଣର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଫଟୋ ଓ ଭିଡିଓ ବି ସାମ୍ନାକୁ ଆସିଛି। ଯାହାକି ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭାଇରାଲ ଫଟୋ ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କି, ସଂସଦ ଭବନ ବାହା‌ରେ ରାଘବ ଫୋନରେ କଥା ହୋଇହୋଇ ଆସୁଛନ୍ତି। ଫୋନରେ ବ୍ୟସ୍ତ ଥିବା ବେଳେ କେଉଁଆଡୁ ହଠାତ ଏକ କାଉ ଆସି ରାଘବଙ୍କ ମୁଣ୍ଡକୁ ଖୁମ୍ପି ଥିଲା। ତେବେ ଏହି ଘଟଣାକୁ ନେଇ ଦିଲ୍ଲୀ ବିଜେପି ରାଘବଙ୍କୁ ଆକ୍ଷେପ କରି ଲେଖିଛି, ‘ଝୁଠ ବୋଲେ କଓ୍ବା କାଟେ’ କଥାରେ ଶୁଣିଥିଲୁ। ଆଜି ନିଜ ଆଖିରେ ଦେଖିଲୁ ମିଛ କହୁଥିବା ଲୋକଙ୍କୁ କେମିତି କାଉ ଖୁମ୍ପୁଛି।’ ଏହି ଘଟଣାକୁ କେନ୍ଦ୍ର କରି ସୋସିଆଲ ମିଡିଆ ବ୍ୟବହାରକାରୀ  ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କେହିକେହି ରାଘବଙ୍କ ଅବସ୍ଥା ଏବେ କେମିତି ବୋଲି ପ୍ରଶ୍ନ କରିଥିବା ବେଳେ ଅନ୍ୟମାନେ ରାଘବଙ୍କୁ ଆକ୍ଷେପ କରି ମଜାକ ଉଡାଇଛନ୍ତି। ତେବେ ରାଘବଙ୍କର ଏଥିରେ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି ।