‘କୁମ୍‌କୁମ୍‌ ସୁଜ୍’କୁ ୧୦ ଲକ୍ଷ ଟଙ୍କା ଜରିମାନା

ବିକୁଥିଲେ ନକଲି ପ୍ୟୁମା ସୁ, ଗଣିଲେ ଫାଇନ୍

ନକଲି ଜିନିଷ ତିଆରି କରୁଥିଲେ ହୋଇଯାଆନ୍ତୁ ସାବଧାନ ।  ଧରାପଡିଲେ ଗଣିବାକୁ ପଡିବ ମୋଟା ଅଙ୍କର ଫାଇନ୍ । ‘ପ୍ୟୁମା’ କମ୍ପାନିର ‘ଟ୍ରେଡ୍‌ମାର୍କ’ ବା ଲୋଗୋ ବ୍ୟବହାର କରି ନକଲି ଜୋତା ତିଆରି କରିଥିବା ଆଗ୍ରାର ଏକ କମ୍ପାନିକୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଦିଲ୍ଲୀ ହାଇକୋର୍ଟ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି । ଜର୍ମାନ୍‌ କମ୍ପାନି ‘ପ୍ୟୁମାଏସ୍‌ଇ’ର ‌‘ଲୋଗୋ’ ଲଗାଇ ଆଗ୍ରାର ‘କୁମ୍‌କୁମ୍‌ ସୁଜ୍’ ନକଲି ଜୋତା ବିକ୍ରୟ କରୁଥିଲା । ଏହି ନକଲି ‌ଜୋତା ବିକ୍ରୟ କରି ‘କୁମ୍‌କୁମ୍‌ ସୁଜ୍‌’ ପ୍ରାୟ ୧୮ରୁ ୧୯ ଲକ୍ଷ ଟଙ୍କା ଲାଭ କରିଥିବା ସୂଚନା ରହିଛି । ଏହି ଆଧାରରେ ଦିଲ୍ଲୀ ହାଇକୋର୍ଟ ମାମଲାର ବିଚାର କରି ଜର୍ମାନିର ‘ପ୍ୟୁମାଏସ୍‌ଇ’ କମ୍ପାନି ସପକ୍ଷରେ ରାୟ ଶୁଣାଇଛନ୍ତି । ‘ପ୍ୟୁମାଏସ୍‌ଇ’କୁ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଅଦାଲତ ‘କୁମ୍‌କୁମ୍‌ ସୁଜ୍‌’କୁ ଆଦେଶ ଦେଇଛନ୍ତି । ଏହି ନକଲି ଜୋତା ସବୁ ଆଗ୍ରା, ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ହରିୟାଣାରେ ବିକ୍ରୟ କରାଯାଉଛି ବୋଲି ‘ସ୍ପୋର୍ଟିଙ୍ଗ୍‌ ବ୍ରାଣ୍ଡ୍‌’ ଭାବେ ବିଶ୍ବରେ ସୁଖ୍ୟାତି ଅର୍ଜନ କରିଥିବା ‘ପ୍ୟୁମାଏସ୍‌ଇ’  ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଥିଲ। ଅଭିଯୋଗର ଶୁଣାଣି କରି ଅଦାଲତ ୨୦୨୨ ସେପ୍ଟେମ୍ବରରେ ‘କୁମ୍‌କୁମ୍‌ ସୁଜ୍‌’କୁ ଏହି ସବୁ ନକଲି ଜୋତା ବିକ୍ରୟ ନ କରିବାକୁ ଆଦେଶ ଦେବା ସହିତ ଘଟଣାର ତଦନ୍ତ କରିବା ଲାଗି ଜଣେ ସ୍ଥାନୀୟ କମିସନର୍‌ଙ୍କୁ ନିର୍ଦେଶ ଦେଇଥିଲେ ।