ଅକ୍ଟୋବର ୧୩ ଯାଏଁ ବଢିଲା ସଞ୍ଜୟଙ୍କ ରିମାଣ୍ଡ

ବଢିଲା ସଞ୍ଜୟ ସିଂଙ୍କ ଅଡୁଆ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ସମସ୍ୟା ବଢିଲା । ତାଙ୍କର ଇଡି ରିମାଣ୍ଡ ଅବଧିକୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଇଡି ଆବେଦନର ଶୁଣାଣି କରି ସ୍ୱତନ୍ତ୍ର ବିଚାରପତି ଏମ୍. କେ. ନାଗପାଲ ଏହି ନିର୍ଦ୍ଦେଶ ଦେଇଛନ୍ତି। ସଞ୍ଜୟ ସିଂହ ସହଯୋଗ କରୁନଥିବା ଅଭିଯୋଗ କରି ଇଡି ତାଙ୍କ ରିମାଣ୍ଡକୁ ୫ ଦିନ ବୃଦ୍ଧି କରିବାକୁ ଦାବି କରିଥିଲେ ମଧ୍ୟ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ମାତ୍ର ୩ ଦିନ ପାଇଁ ଅନୁମତି ଦେଇଥିଲେ । ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଆସନ୍ତା ଅକ୍ଟୋବର ୧୩ରେ କୋର୍ଟରେ ହାଜର କରାଯିବ । କୋର୍ଟଙ୍କ ପ୍ରଶ୍ନର ଉତ୍ତରରେ ଇଡି ପକ୍ଷରୁ ହାଜର ହୋଇଥିବା ଓକିଲ କହିଛନ୍ତି, ନିକଟରେ ଚଣ୍ଡିଗଡ଼ରେ ଚଢ଼ାଉ କରାଯାଇଥିଲା, ଯେଉଁ ବ୍ୟବସାୟୀଙ୍କ ବୟାନ ଅନୁସାରେ ଚଢ଼ାଉ କରାଯାଇଥିଲା, ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ସେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯାହା ବର୍ତ୍ତମାନ ପ୍ରକାଶ କରାଯାଇପାରିବ ନାହିଁ ବୋଲି ଇଡି କହିଛି ଏବଂ ତଦନ୍ତକାରୀ ସଂସ୍ଥା ନିକଟରେ ଏହି ମାମଲାରେ ପ୍ରମାଣ ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଅଭିଯୋଗର ତଦନ୍ତ କରୁଛି ।