କାଲି ହେବନି ଇଣ୍ଡିଆ ମେଣ୍ଟ ବୈଠକ

ଇଣ୍ଡିଆ ମେଣ୍ଟ ବୈଠକ ସ୍ଥଗିତ

ଆସନ୍ତାକାଲି ହେବାକୁ ଥିବା ବୈଠକ ସ୍ଥଗିତ ରଖାଯାଇଛି। ମମତା-ନୀତୀଶ-ଅଖିଳେଶ ଯୋଗ ଦେବାକୁ ମନା କରିବା ପରେ ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକ ଡିସେମ୍ବର ୬ କୁ ଦିଲ୍ଲୀରେ ଡାକିଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଏହି ବୈଠକରେ ଯୋଗଦେବାକୁ ମନା କରି ଦେଇଛନ୍ତି। ବିରୋଧୀ ଦଳର ନେତାମାନେ କ୍ରମାଗତ ଭାବରେ ସିଟ୍ ଭଗବଣ୍ଟା ନେଇ ‘ଇଣ୍ଡିଆ’ ମେଣ୍ଟର ବୈଠକ ଡାକିବାକୁ ଦାବି କରୁଥିଲେ। ତେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ୫ ଟି ରାଜ୍ୟରେ ନିର୍ବାଚନ ଦର୍ଶାଇ ଏହାକୁ ସ୍ଥଗିତ ରଖିଥିଲେ। ରବିବାର ଦିନ ଚାରୋଟି ରାଜ୍ୟରେ ଘୋଷିତ ଫଳାଫଳ ମଧ୍ୟରେ ଖଡଗେ ଡିସେମ୍ବର ୬ ରେ ‘ଇଣ୍ଡିଆ ମେଣ୍ଟ’ର’ ଏକ ବୈଠକ ଡାକିଥିଲେ। ଏହି ଚାରୋଟି ରାଜ୍ୟ ମଧ୍ୟରୁ କଂଗ୍ରେସ କେବଳ ତେଲଙ୍ଗାନାରେ ବିଜୟୀ ହୋଇଥିବାବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ପରାଜୟର ସମ୍ମୁଖୀନ ହୋଇଛି। ନୀତିଶ ଏବଂ ଅଖିଳେଶଙ୍କ ପୂର୍ବରୁ ମମତା ବାନାର୍ଜୀ ବୈଠକରେ ଯୋଗ ଦେବାକୁ ମନା କରବା ସହିତ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଥିଲେ। ସେ କହିଥିଲେ କେହି ମୋତେ ଏହି ବୈଠକ ବିଷୟରେ କିଛି କହି ନାହାନ୍ତି। ତେବେ ରାଜ୍ୟରେ ବର୍ତମାନ ଆଗାମୀ ୬ରୁ ୭ ଦିନ ଯାଏ ମୋର ବିଭିନ୍ନ କାର୍ୟ୍ୟକ୍ରମ ରହିଛି। ତେଣୁକରି ବୈଠକ ପାଇଁ ଡାକିଲେ ମଧ୍ୟ ଯୋଗ ଦେବା ସମ୍ଭବ ହେବ ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତି।