ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବନି କଂଗ୍ରେସ
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବନି କଂଗ୍ରେସ । ଏହାକୁ ବିଜେପି ଓ ଆରଏସଏସର ରାଜନୈତିକ ଇଭେଣ୍ଟ କହିଲା ଦଳ । ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଅନେକ ଲୋକ ଓ ରାଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ ମିଳିଥିଲେ ବି କଂଗ୍ରେସ ନେତାମାନେ ଏହି ଉତ୍ସବରେ ଯୋଗ ଦେବେ ନାହିଁ । ଏନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଆମ ଦେଶର ଲକ୍ଷ ଲକ୍ଷ ଲୋକ ଭଗବାନ ରାମଙ୍କର ପୂଜା କରିଥାନ୍ତି । ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର, ହେଲେ ଆରଏସଏସ ଓ ବିଜେପି ଅନେକ ବର୍ଷ ଧରି ଅଯୋଧ୍ୟାର ରାମ ମନ୍ଦିରକୁ ରାଜନୈତିକ ପ୍ରକଳ୍ପ ଭାବେ ବ୍ୟବହାର କରୁଛନ୍ତି । ବିଜେପି ଓ ଆରଏସଏସ ନେତମାନେ ଅଧା ନିର୍ମାଣ ହୋଇଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କେବଳ ନିର୍ବାଚନୀ ଲାଭ ପାଇଁ କରୁଥିବା ଜୟରାମ ରମେଶ କହିଛନ୍ତି । ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅଧିର ରଂଜନ ଚୌଧୁରୀ ସ୍ପଷ୍ଟ କରିଛନ୍ତି, କଂଗ୍ରେସ ନେତାମାନେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ । ଏହା ବିଜେପି ଓ ଆରଏସଏସର ବ୍ୟକ୍ତିଗତ ଉତ୍ସବ ବୋଲି କଂଗ୍ରେସ ନେତା କହିଛନ୍ତି ।