ଚିତା ପାଇଁ ଏବେ ବଢୁଛି ଚିନ୍ତା !

ଚିତା ପାଇଁ ଏବେ ବଢୁଛି ଚିନ୍ତା , କାହିଁକି ନା ୫ମାସରେ ୭ଟି ଚିତାବାଘଙ୍କ ମୃତ୍ଯୁ ହେଲାଣି। ତେବେ ଭାରତର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଅଣ୍ଡିରା ଚିତାର ମୃତ୍ୟୁ ଘଟିଛି । ଏହି ଅଣ୍ଡିରା ଚିତାର ନାଁ ହେଉଛି ତେଜସର । ତେଜସ ପୂର୍ବରୁ ୩ଟି ଚିତା ବାଘ ଓ ୩ଟି ଚିତା ଶାବକଙ୍କର ମୃତ୍ୟୁ ଘଟିଥିଲା। ଆଜି ଦିନ ପ୍ରାୟ ୧୧ଟା ବେଳେ ମନିଟରିଂ ଟିମ୍ ତେଜସର ବେକର ଉପର ପାର୍ଶ୍ୱରେ କ୍ଷତ ଚିହ୍ନ ଦେଖିଥିଲେ। ସେମାନେ ତୁରନ୍ତ ଏ ସଂପର୍କରେ ପ୍ରାଣୀଧନ ଚିକିତ୍ସକଙ୍କୁ ସୂଚନା ଦେଇଥିଲେ। ସେମାନେ ପହଞ୍ଚି ତେଜସକୁ ଯାଞ୍ଚ କରିଥିଲେ। ତା’ ବେକରେ ଲାଗିଥିବା କ୍ଷତ ବେଶ୍ ଗଭୀର ଥିଲା। ସେମାନେ ବାଘଟିର ଚିକିତ୍ସା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଅପରାହ୍ନ ପ୍ରାୟ ୨ଟା ବେଳେ ଚିତା ବାଘଟିର ମୃତ୍ୟୁ ହୋଇଯାଇଥିଲା।

ଏହା ପରେ ଚିତାର ଚିକିତ୍ସା କରାଯାଇଥିଲା । କିନ୍ତୁ ଚିକିତ୍ସା ପରେ ମଧ୍ୟ ଚିତାର ଜୀବନ ବଞ୍ଚାଯାଇପାରି ନାହିଁ । ମୃତ୍ୟୁ ପୂର୍ବରୁ ଚିତାଟି ଅନେକ ସମୟ ଧରି ଅଚେତ ଥିଲା । ତେଜସକୁ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ଗତ ୫ ମାସରେ ୭ଟି ଚିତାବାଘର ମୃତ୍ୟୁ ହେଲାଣି । ଭାରତରେ ଚିତା ଲୋପ ପାଇଥିବାରୁ ଦକ୍ଷିଣ ଆଫ୍ରିକାରୁ ୮ଟି ଚିତା ଅଣାଯାଇଥିଲା । ହେଲେ ଭାରତ ଆସିବା ପରେ ବିଭିନ୍ନ କାରଣରୁ ୪ ଜଣ ଚିତା ଓ ୩ ଜଣ ଚିତା ଶାବକଙ୍କ ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ତେଜସର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପ୍ରାଣୀଧନ ଚିକିତ୍ସକମାନେ କହିଛନ୍ତି। ତେବେ ତା’ ଦେହରେ କ୍ଷତ କେମିତି ହେଲା, ସେ ନେଇ ତଦନ୍ତ ଜାରି ରହିଛି। ସେପଟେ ଗୋଟିଏ ପରେ ଗୋଟିଏ ଚିତାବାଘଙ୍କ ମୃତ୍ଯୁ ଏବେ ଚିନ୍ତାର କାରଣ ପାଲଟିଛି ।