ଟ୍ରେଡ୍ ୟୁନିୟନ ନେତା ଦତ୍ତ ସାମନ୍ତ ହତ୍ୟା ମାମଲା

ଅଣ୍ଡରଓ୍ବାର୍ଲ୍ଡ ଡନ୍ ଛୋଟା ରାଜନ ଦୋଷମୁକ୍ତ

ଅପରାଧୀ ତଥା ଅଣ୍ଡରଓ୍ବାର୍ଲ୍ଡ ଡନ୍ ଛୋଟା ରାଜନ ନାଁ ତ ଆପଣ ନିଶ୍ଚୟ ଶୁଣିଥିବେ । ମୁମ୍ବାଇର ଟ୍ରେଡ୍ ୟୁନିୟନ ନେତା ଦତ୍ତ ସାମନ୍ତ ହତ୍ୟା ମାମଲାରେ ମୁମ୍ବାଇର ସିବିଆଇ କୋର୍ଟ କୁଖ୍ୟାତ ଅଣ୍ଡରଓ୍ବାର୍ଲଡ ଡନ୍ ଛୋଟା ରାଜନକୁ ଦୋଷମୁକ୍ତ କରିଛନ୍ତି । ସ୍ୱତନ୍ତ୍ର ସିବିଆଇ ବିଚାରପତି ଜଷ୍ଟିସ ଏଏମ ପାଟିଲ ଉପଯୁକ୍ତ ପ୍ରମାଣ ଅଭାବରୁ ପାଟିଲ ଛୋଟା ରାଜନଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି । ୧୯୯୭ ମସିହା ଜାନୁଆରି ୧୬ ତାରିଖରେ ଡାକ୍ତର ସାମନ୍ତ ମୁମ୍ବାଇର ପୱାଇରୁ ଘାଟକୋପରର ପନ୍ତନଗର ଅଭିମୁଖେ ଯାଉଥିଲେ। ଏହି ସମୟରେ ପଦ୍ମାବତୀ ରୋଡରେ ଥିବା ନରେଶ ଜେନେରାଲ ଷ୍ଟୋର ନିକଟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏଥିରେ ସାମନ୍ତଙ୍କ ମୃତ୍ୟୁ ଘଟିଥିଲା। ୪ ଜଣ ଅଜଣା ବାଇକ୍ ଆରୋହୀ ଡାକ୍ତର ସାମନ୍ତଙ୍କ ଗାଡ଼ିକୁ ଅଟକାଇ ତାଙ୍କ ଉପରକୁ ୧୭ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ସେହି ଲୋକମାନେ ଫେରାର ହୋଇଯାଇଥିଲେ। ସାମନ୍ତଙ୍କ ଡ୍ରାଇଭର ଭୀମରାଓ ସୋନକାମ୍ବଲେଙ୍କ ଅଭିଯୋଗ କ୍ରମେ ଶେଖର ସାକିନାକା ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

ଅକ୍ଟୋବର ୨୦୧୫ରେ ଇଣ୍ଡୋନେସିଆର ବାଲିରୁ ରାଜନକୁ ଗିରଫ କରାଯାଇଥିଲା। ଏହାପରେ ରାଜନ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ସିବିଆଇ ନିଜ ହାତକୁ ନେଇଥିଲା। ଏହାପରେ ସିବିଆଇ ସାମନ୍ତ ହତ୍ୟା ମାମଲାରେ ରାଜନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଛୋଟା ରାଜନ ପୂର୍ବରୁ କୁଖ୍ୟାତ ଅଣ୍ଡରଓ୍ବାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମର ଘନିଷ୍ଠ ସହଯୋଗୀ ଥିଲା । ତେବେ ସେ ପରେ ଡାଉଦଠାରୁ ଅଲଗା ହୋଇ ନିଜର ସ୍ବତନ୍ତ୍ର ଗ୍ୟାଙ୍ଗ ଗଢିଥିଲା ଓ ଥାଇଲାଣ୍ଡରୁ ରହି ମୁମ୍ବାଇ ଅଣ୍ଡରଓ୍ବାର୍ଲଡକୁ ଚଳାଉଥିଲା ।