ଜେପି ନଡ୍ଡାଙ୍କୁ ଭେଟିଲେ ରେଣୁକା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦ ନେଇ ବଢ଼ିଲା ଚର୍ଚ୍ଚା

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହେବେ ରେଣୁକା ସିଂ!

କିଏ ହେବ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଏବେ ବି ଚେହେରା ଅସ୍ପଷ୍ଟ । ସେପଟେ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ରେଣୁକା ସିଂ । ରେଣୁକା ଜେପି ନଡ୍ଡାଙ୍କୁ ଭେଟିବା ପରେ ରେଣୁକା ସିଂ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ବଢିଛି । ଛତିଶଗଡରେ କଂଗ୍ରେସକୁ ହରାଇ ବିଜେପି ସଂଖ୍ୟାଗରିଷ୍ଠାତା ହାସଲ କରିଛି । ନିର୍ବାଚନ ଫଳାଫଳ ଆସିବା ପରେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ନାମକୁ ନେଇ ପ୍ରଥମରୁ ଚର୍ଚ୍ଚା ହେଉଥିଲା । ହେଲେ ଆଜି ବିଜେପି ନେତ୍ରୀ ରେଣୁକା ସିଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରି ୩୦ ମିନିଟ କାଳ ଆଲୋଚନା କରିବା ପରେ ରେଣୁକା ସିଂ ଏବେ ମୁଖ୍ୟମନ୍ତ୍ରୀ ଦୌଡରେ ସବୁଠାରୁ ଆଗରେ ରହିଛନ୍ତି । ଛତିଶଗଡ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୪ ଦିନ ମଧ୍ୟରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନଥିବାରୁ ଏହାକୁ ନେଇ ବିରୋଧୀ କଂଗ୍ରେସ କଟାକ୍ଷ କରିବା ଆରମ୍ଭ କରିଦେଇଛି । କେବଳ ରେଣୁକା ସିଂ ନୁହଁନ୍ତି କି ରମଣ ସିଂ ନୁହଁନ୍ତି ମୁଖ୍ୟମନ୍ତ୍ରୀ ଦୌଡରେ ଛତିଶଗଡ ବିଜେପି ଅଧ୍ୟକ୍ଷ ଅରୁଣ ସାଓ ମଧ୍ୟ ରହିଛନ୍ତି । ଯଦି ବିଜେପି ରେଣୁକା ସିଂଙ୍କ ନାମରେ ମୋହର ମାରନ୍ତି ତେବେ ସେ ଛତିଶଗଡର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ । ରେଣୁକା ସିଂଙ୍କୁ ଛତିଶଗଡରେ ବଡ ଆଦିବାସୀ ଚେହେରା ବୋଲି ଗଣନା କରାଯାଏ । ସେ କଂଗ୍ରେସ ପ୍ରାର୍ଥୀ ଗୁଲାବ କମରୋଙ୍କୁ ଭରତପୁର ସୋନହତ ଆସନରେ ପରାଜିତ କରିଛନ୍ତି ।