ଚନ୍ଦ୍ରର ପ୍ରଥମ ଫୋଟୋ ପଠାଇଲା ଚନ୍ଦ୍ରଯାନ

ଏବେ ସଫଳ ଲ୍ୟାଣ୍ଡିଂକୁ ଅପେକ୍ଷା

ଆସିଲା ଜହ୍ନର ଫୋଟୋ । ଆଉ ଏହି ଫୋଟୋ ପଠାଇଛି ଚନ୍ଦ୍ରଯାନ ୩ । ଚନ୍ଦ୍ରର କକ୍ଷ ପଥରେ ପହଞ୍ଚି ପ୍ରଥମେ ଏହି ଫୋଟୋ ପଠାଇଛି ଚନ୍ଦ୍ରଯାନ। ତେବେ ଏହି ଫୋଟୋ ନେଇ ସୂଚନା ଦେଇଛି ଇସ୍ରୋ। ସଭିଙ୍କ ନଜର ଏହି ମିଶନ ଉପରେ ଥିବା ବେଳେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରୁଛି ଚନ୍ଦ୍ରଯାନ ୩। କକ୍ଷ ପଥରେ ପହଞ୍ଚିବା ପରେ ଚନ୍ଦ୍ରର ଏକ ସ୍ପଷ୍ଟ ଚିତ୍ର ମଧ୍ୟ ପଠାଇଛି । ଆଗକୁ ଆହୁରି ସ୍ପଷ୍ଟ ଚିତ୍ର ସହ ଅଧିକ ତଥ୍ୟ ପଠାଇବ ବୋଲି ସଭିଙ୍କ ଆଶା ରହିଛି ।

ଏବେ ଚନ୍ଦ୍ରପୃଷ୍ଠରୁ ମାତ୍ର ୧୦ରୁ ୧୨ ହଜାର କିଲୋମିଟର ବିଶିଷ୍ଟ କକ୍ଷପଥରେ ଘୁରୁଛି ଚନ୍ଦ୍ରଯାନ । ଅଗଷ୍ଟ ୯ରେ ୪ରୁ ୫ ହଜାର କିଲୋମିଟର କକ୍ଷପଥରେ ପ୍ରବେଶ କରିବାକୁ ଥିବାବେଳ ଆସନ୍ତା ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କରିବ ବୋଲି ସୂଚନା ରହିଛି । ତେବେ କିପରି ନିରାପଦ ଲ୍ୟାଣ୍ଡିଂ କରିବ ସେନେଇ ଅଧିକ ଗୁରୁତ୍ଵ ଦିଆଯାଉଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନର ଉତକ୍ଷେପଣ କରାଯାଇଥିବା ବେଳେ ୨୨ତମ ଦିନରେ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିବା ସଭିଙ୍କ ମନରେ ବେଶ ଉତ୍କଣ୍ଠା ବଢାଇଥିବା ଦେଖିବାକୁ ମିଳିଛି ।