ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ ଚମ୍ପଇ ସୋରେନ୍

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପଇ ସୋରେନ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ ଚମ୍ପଇ ସୋରେନ୍ । ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକୃଷ୍ଣ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ଦଳ ନେତା ହେଉଛନ୍ତି ୬୨ ବର୍ଷୀୟ ଚମ୍ପଇ ସୋରେନ । ଜେଏମଏମର ପୁରୁଖା ନେତା ଭାବେ ସେ ଜଣାଶୁଣା । ଏହା ସହ ଝାଡ଼ଖଣ୍ଡର ବାଘ କହିଲେ ତାଙ୍କୁ ବୁଝାଯାଏ । ୨୦୦୫ ମସିହାରୁ କ୍ରମାଗତ ଭାବେ ଚମ୍ପଇ ସୋରେନ ୪ ଥର ବିଧାୟକ ଭାବେ ଜିତିଛନ୍ତି । ୩ ଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ହେମନ୍ତ ସୋରେନଙ୍କ ମନ୍ତ୍ରୀମଣ୍ଡଳରେ ଚମ୍ପଇ ସୋରେନ ପରିବହନ, ପଛୁଆ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିଲେ । ୨୦୦୫ ମସିହାରେ ପ୍ରଥମ ଥର ପାଇଁ ସରାୟକେଲା ଆସନରୁ ଚମ୍ପାଇ ସୋରେନ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ଜେଏମଏମରେ ସାମିଲ ହୋଇ ୨୦୦୯ ମସିହାରେ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ । ଏହି ସମୟରେ ବିଜେପିର ଅର୍ଜୁନ ମୁଣ୍ଡାଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ମିଳିଥିଲା । ୨୦୧୦ରୁ ୨୦୧୩ ପର୍ୟ୍ୟନ୍ତ ବିଜ୍ଞାନ ଓ ବୈଷୟିକ, ଶ୍ରମ ଓ ଗୃହ ନିର୍ମାଣ ବିଭାଗର ମନ୍ତ୍ରୀ ଥିଲେ । ଏହାପରେ ୨୦୧୪ପର୍ୟ୍ୟନ୍ତ ଖାଦ୍ୟ ଓ ବେସାମରିକ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୪ ଓ ୨୦୧୯ମସିହାରେ ଚମ୍ପାଇ ସୋରେନ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ ।