କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

କାହିଁକି ଗ୍ରହଣ କରାଯାଉନି କଡା ଆଭିମୁଖ୍ୟ

ଏକ ମାମଲାର ଶୁଣାଣି କରି କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ବିଜେପି ଶାସିତ ରାଜ୍ୟଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର କାହିଁକି କଡ଼ା ଆଭିମୁଖ୍ୟ ଗ୍ରହଣ କରୁନାହାନ୍ତି, ସେ ନେଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡରେ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ବିରୋଧରେ କଡ଼ା ଟିପ୍ପଣୀ ଦେଇଛନ୍ତି । ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କାହିଁକି ଲାଗୁ କରାଯାଇନାହିଁ? ଆପଣ ନିଜ ଦଳର ରାଜ୍ୟ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରୁନାହାନ୍ତି । ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଆପଣ ଅନ୍ୟ ରାଜ୍ୟ ସରକାରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । କିନ୍ତୁ ଯେଉଁ ରାଜ୍ୟରେ ଆପଣଙ୍କ ଦଳ କ୍ଷମତାରେ ଅଛି, ସେଠାରେ ଆପଣ କିଛି କରନ୍ତି ନାହିଁ । ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ କିଛି ବ୍ୟବସ୍ଥା ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଏସ.କେ ଜଷ୍ଟିସ କୌଲ । ସବୁ କ୍ଷେତ୍ରରେ ମହିଳାମାନେ ସମାନ ଭାବେ ସାମିଲ ଥିବା ବେଳେ ମହିଳାଙ୍କ ଭାଗିଦାରୀଙ୍କୁ କାହିଁକି ବିରୋଧ କରାଯାଉଛି ବୋଲି ଜଷ୍ଟିସ କୌଲ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ, ନାଗାଲାଣ୍ଡ ଏପରି ଏକ ରାଜ୍ୟ, ଯେଉଁଠାରେ ମହିଳାଙ୍କ ଶିକ୍ଷା, ଅର୍ଥନୈତିକ ଓ ସାମାଜିକ ସ୍ଥିତି ସର୍ବୋତମ । ତେଣୁ ସେଠାରେ କାହିଁକି ମହିଳାଙ୍କ ସଂରକ୍ଷଣ କାର୍ଯ୍ୟକାରୀ ହୋଇପାରିବ ନାହିଁ । ଏହାର ଜବାବରେ ନାଗାଲାଣ୍ଡର ଆଟର୍ଣ୍ଣି ଜେନେରାଲ କହିଛନ୍ତି, କିଛି ମହିଳା ସଂଗଠନ କହୁଛନ୍ତି ଯେ ସେମାନେ ସଂରକ୍ଷଣ ଚାହାନ୍ତି ନାହିଁ । ଆଉ ଯେଉଁମାନେ ଏହା କହୁଛନ୍ତି, ସେମାନେ ସବୁ ଶିକ୍ଷିତ ବୋଲି ଆଟର୍ଣ୍ଣି ଜେନେରାଲ କହିଛନ୍ତି ।