ବଢୁଛି ନୀତୀଶ, ନାଇଡୁଙ୍କ ଦାବି

ନାଇଡୁ ୫ ଏବଂ ନୀତୀଶ ୨ ମନ୍ତ୍ରୀପଦ ଦାବି!

କମିଛି ବିଜେପିର ସଂଖ୍ୟା ଗରିଷ୍ଠତା । ଏକାକୀ ଲୋକସଭାରେ ସରକାର କରିବାକୁ ଆଶା ରଖିଥିବା ବିଜେପି ଏବେ ଅଡୁଆରେ । ସହଯୋଗୀ ଦଳ ବିନା ସରକାର କରିବା ଅସମ୍ଭବ । ସେପଟେ ସହଯୋଗି ଦଳଙ୍କ ଡିମାଣ୍ଡ ବି ବଢିବାରେ ଲାଗିଛି । ବିଜେପି କିନ୍ତି ସାଲିସ କରିବାକୁ ନାରାଜ । ବିନା ସହଯୋଗୀ ଦଳରେ ସରକାର ଗଢି ପାରିବ ନାହିଁ ବିଜେପି । ଠିକ ଏତିକି ବେଳେ ଏହାର ଫାଇଦା ଉଠାଉଛନ୍ତି ଜେଡିୟୁ, ଟିଡିପି । ମନ୍ତ୍ରୀ ପଦ ପାଇଁ ଅଡି ବସିଛନ୍ତି ନୀତୀଶ, ନାଇଡୁ । ନିଜ ନିଜର ଦଳୀୟ ସ୍ୱାର୍ଥକୁ ସମସ୍ତେ ସର୍ବାଗ୍ରେ ରଖୁଛନ୍ତି । ଫଳରେ ମନ୍ତ୍ରୀ ପଦ କିମ୍ବା ଅନ୍ୟ କୌଣସି ଦଳୀୟ ସ୍ୱାର୍ଥ ହାତେଇବାକୁ ଆରମ୍ଭ ହୋଇଯାଇଛି କଡ଼ା କସରତ । ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କ ସମେତ ଅନ୍ୟ ସହଯୋଗୀମାନେ ବୈଠକରେ ନିଜର ଦାବି ଉପସ୍ଥାପନ କରିଥିବା ସୂଚନା ମିଳିଛି ।

୧୬ଟି ଲୋକସଭା ଆସନ ଜିତିଥିବା ଆନ୍ଧ୍ରପ୍ରଦେଶର ଟିଡିପି ଦଳ ତରଫରୁ ନାଇଡୁ ଅର୍ଥମନ୍ତ୍ରୀ ସମେତ ଲୋକସଭା ବାଚସ୍ପତି ପଦ ଓ ପାଞ୍ଚଟି ମନ୍ତ୍ରୀ ପଦ ଦାବି କରିଥିବା ଶୁଣିବାକୁ ମିଳୁଛି । ସଡକ, ପଞ୍ଚାୟତରାଜ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ବିଭାଗ ଉପରେ ମଧ୍ୟ ଟିଡିପି ଦୃଷ୍ଟି ରଖିଛି ବୋଲି ଜଣାପଡ଼ୁଛି । ସେହିପରି ନୀତୀଶ କୁମାରଙ୍କ ଦଳ ପାଖରେ ୧୨ଜଣ ସାଂସଦ ରହିଛନ୍ତି । ଏପରି ଅବସ୍ଥାରେ ଜେଡିୟୁ ଦୁଇଟି କ୍ୟାବିନେଟ ମନ୍ତ୍ରୀ ପଦ ସହ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ମାଗିଥିବା ଜଣାପଡ଼ିଛି । ଅନ୍ୟପଟେ ରେଳ ମନ୍ତ୍ରୀ ପଦ ମଧ୍ୟ ଏକ ପ୍ରମୁଖ ପସନ୍ଦ ରହିପାରେ ବୋଲି ଆଲୋଚନା ଚାଲିଛି । ଅନ୍ୟପଟେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଦଳ ଏନଡିଏ ସରକାର ଏବଂ ଏହାର କାର୍ୟ୍ୟକାରିତା ନିଶ୍ଚିତ କରିବାକୁ ଏକ ସମନ୍ୱୟ କମିଟି ପାଇଁ ମଧ୍ୟ ଦାବି କରିଥିବା ଶୁଣାଯାଉଛି ।