ନିଜ ବିଭାଗ ଭୁଲିଗଲେ ବିହାର ମୁଖ୍ୟମନ୍ତ୍ରୀ

ବିଭାଗ ଭୁଲି ଲୋକହସା ହେଲେ ନୀତିଶ କୁମାର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏପରି ବ୍ୟବହାରକୁ ନେଇ ଲୋକେ ତାଜୁବ । ଖୋଦ୍ ଗୃହମନ୍ତ୍ରୀ ଥିବା ନୀତିଶ ଭୁଲିଯାଇଛନ୍ତି ତାଙ୍କ ବିଭାଗ । ଭିଡିଓରେ ଦେଖିବାକୁ ମିଳିଛି ସେ ଜନତା ଦରବାରରେ ବସିଛନ୍ତି । ତାଙ୍କ ଆଖପାଖରେ ଅଧିକାରୀଙ୍କ ଭିଡ଼ ରହିଛି ଏବଂ ତାଙ୍କ ସାମ୍ନାରେ ଜଣେ ଅଭିଯୋଗକାରୀ ବସିଛନ୍ତି । ଯାହାଙ୍କ ସମସ୍ୟା ସେ ଶୁଣୁଛନ୍ତି । ନିଜେ ରାଜ୍ୟର ଗୃହ ବିଭାଗର ପ୍ରଭାରୀ ହେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନିଜ ସହୋଯୋଗୀଙ୍କୁ ରାଜ୍ୟର ଗୃହମନ୍ତ୍ରୀଙ୍କୁ ଜନତା ଦରବାରରେ ଆସିଥିବା ଅଭିଯୋଗକାରୀଙ୍କୁ ଭେଟିବା ପାଇଁ କହିଥିଲେ । ଏହାକୁ ନେଇ ବିରୋଧୀ ତାଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ କହିଛନ୍ତି ଯିଏ ନିଜ ବିଭାଗ ଜାଣିପାରୁନାହାନ୍ତି ସେ ରାଜ୍ୟ କଣ ଚଳାଇବେ । ନୀତିଶ କୁମାରଙ୍କ ପାଖରେ ରାଜ୍ୟର ଗୃହ ଏବଂ ସାମାନ୍ୟ ପ୍ରଶାସନ ସହିତ ଅନ୍ୟ ବିଭାଗ ରହିଛି । ଏପରି ସ୍ଥିତିରେ ସେ ନିଜ ବିଭାଗ ଭୁଲିଯିବାକୁ ନେଇ ଟ୍ରୋଲ୍ ହୋଇଛନ୍ତି । ତେବେ ଏହି ଜନତା ଦରବାରରେ ମୁଖ୍ୟମନ୍ତ୍ରୀ ୫୧ ଜଣଙ୍କ ସମସ୍ୟା ଶୁଣିଥିଲେ । ଏହି ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।