‘ଭାରତ ନ୍ୟାୟ ଯାତ୍ରା’ ହେଲା ‘ଭାରତ ଯୋଡ ନ୍ୟାୟଯାତ୍ରା’
ବଦଳିଲା ଭାରତ ନ୍ୟାୟ ଯାତ୍ରାର ନାମ । ନାମ ବଦଳାଇ ‘ଭାରତ ଯୋଡ ନ୍ୟାୟଯାତ୍ରା’ ରଖାଗଲା । କଂଗ୍ରେସ ତରଫରୁ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ନ୍ୟାୟ ଯାତ୍ରାର ନାମ ପରିବର୍ତ୍ତନ କରିଛି । ଏବେ ଏହି ଯାତ୍ରାକୁ ଭାରତ ଯୋଡ ନ୍ୟାୟ ଯାତ୍ରା ନାମରେ ଦଳ ନାମିତ କରିଛି । ଆଜି ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା ମଲ୍ଲିକାର୍ଜୁନ ଖଡଗେ କରିଥିଲେ । ଏଥିରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଦଳର ସମସ୍ତ ମସଚିବମାନେ ଯୋଗ ଦେଇଥିଲେ । ଏହି ବୈଠକରେ ନ୍ୟାୟ ଯାତ୍ରା ପ୍ରସ୍ତୁତି ଠାରୁ ଆରମ୍ଭ କରି ଆଗାମୀ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସମସ୍ତ ବିଷୟରେ ଆଲୋଚନା ହୋଇଥିଲା । ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି, ୨୦୨୪ ଲୋକସଭା ନିର୍ବାଚନରେ ବହୁମତ ହାସଲ କରିବା ଓ ଭାରତ ନ୍ୟାୟ ଯାତ୍ରାର ପ୍ରସ୍ତୁତି ସହିତ ଜଡିତ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । କେବଳ ସେତିକି ନୁହେଁ ବୈଠକରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଥିଲେ ଖଡଗେ । ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମଣିପୁର ଗଲେନାହିଁ,ଏହା ସୂଚାଇ ଦେଉଛି କି, ରାଷ୍ଟ୍ରୀୟ ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀ କେତେ ଦାୟିତ୍ୱହିନତାର ସହ କାର୍ଯ୍ୟ କରୁଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାନୁଆରୀ ୧୪ ତାରିଖରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ମୁମ୍ବାଇରେ ସମାପ୍ତ ହେବ । ଏହି ଯାତ୍ରା କ୍ରମରେ ୧୪ ରାଜ୍ୟ ଓ ୮୫ଟି ଜିଲ୍ଲା କଭର କରିବ । ଯେଉଁଥିରେ ରାହୁଲ ଗାନ୍ଧୀ ଚାଲି ଚାଲି ଓ ବସରେ ୬ ହଜାର ୨୦୦ କିଲୋମିଟର ଯାତ୍ରା କରିବେ ।