ବେଲ୍‌ ମିଳିଲାନି, ଜେଲ ଗଲେ ଚନ୍ଦ୍ରବାବୁ

୩୭୧କୋଟି ଦୁର୍ନୀତି ମାମଲାରେ ୧୪ଦିନିଆ ରିମାଣ୍ଡରେ ଗଲେ ଚନ୍ଦ୍ରବାବୁ !

ଜେଲ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ। ୩୭୧ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଦେଖିବାକୁ ମିଳିଛି । ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବିଜୟୱାଡ଼ାର ଏକ ଦୁର୍ନୀତି ନିରୋଧୀ ଅଦାଲତରେ ହାଜର କରାଯାଇଥିଲା ଏବଂ ତାଙ୍କୁ ରାଜମୁନ୍ଦ୍ରୀ ଜେଲକୁ ନିଆଯାଇଛି। ସୁପ୍ରିମକୋର୍ଟର ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରାଙ୍କ ସମେତ ଏକ ଆଇନଜୀବୀ ଦଳ ତାଙ୍କ ପ୍ରତିନିଧିତ୍ୱ କରିଥିଲେ ।

ତେବେ ୩୭୧କୋଟି ଦୁର୍ନୀତି ମାମଲାରେ ଶନିବାର ଗିରଫ ହୋଇଥିଲେ ଏନ ଚନ୍ଦ୍ରବାବୁ ନାଇଡୁ । ଦୁର୍ନୀତି ନିବାରଣ ଆଇନ ପରିପ୍ରେକ୍ଷୀରେ ତାଙ୍କୁ ମିଥ୍ୟା ଭାବେ ଫସାଇ ଦିଆଯାଇଛି ଏବଂ ଆଇନଗତ ବୈଷୟିକ ତ୍ରୁଟି ଦର୍ଶାଇ ସେ ଅଦାଲତଙ୍କୁ କହିଛନ୍ତି ଯେ କୌଣସି ଦୃଢ଼ ଅଭିଯୋଗ ନାହିଁ ଏବଂ ପ୍ରସିକ୍ୟୁସନ ଏଜେନ୍ସିର ରିମାଣ୍ଡ ରିପୋର୍ଟକୁ ଖାରଜ କରିବାକୁ ଅଦାଲତଙ୍କୁ ଅନୁରୋଧ କରିଛନ୍ତି । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଚନ୍ଦ୍ରବାବୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।