ଇସ୍ତଫା ଦେବାରେ ଧନଖଡ଼ ତୃତୀୟ ଉପରାଷ୍ଟ୍ରପତି
ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରେ ଧନଖଡ଼ଙ୍କ ଇସ୍ତଫା ଅନେକଙ୍କୁ ଚକିତ କରିଛି। ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାରେ ଧନଖଡ଼ ପ୍ରଥମ ବ୍ୟକ୍ତି ନୁହଁନ୍ତି, ତାଙ୍କ ପୂର୍ବରୁ ଦୁଇ ଜଣ ଉପରାଷ୍ଟ୍ରପତି ସେମାନଙ୍କ କାର୍ଯ୍ୟକାଳ ଶେଷହେବା ପୂର୍ବରୁ ଓହରିଛନ୍ତି। ସେମାନେ ହେଲେ ଭି ଭି ଗିରି ଏବଂ ଆର୍ ଭେଙ୍କଟରମଣ।
୧୯୬୭ ମସିହାରେ ଭି ଭି ଗିରି ଉପରାଷ୍ଟ୍ରପତି ହୋଇଥିଲେ ଏବଂ ୧୯୬୯ ମସିହା ଜୁଲାଇ ୨୦ରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ୧୯୬୯ ମେ ମାସରେ ତତ୍କାଳୀନ ରାଷ୍ଟ୍ରପତି ଜାକିର ହୁସେନଙ୍କ ପରଲୋକ ହୋଇଥିଲା। ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଶ୍ରୀ ଗିରିଙ୍କୁ ଉପରାଷ୍ଟ୍ରପତି ପଦରୁ ଓହରିବାକୁ ପଡ଼ିଥିଲା। ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ସମର୍ଥନ କାରଣରୁ ୧୯୬୯ ଅଗଷ୍ଟ ୨୦ରେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ସେହିଭଳି ରାମସ୍ବାମୀ ଭେଙ୍କଟରମଣ ରାଷ୍ଟ୍ରପତି ହେବା ପାଇଁ ଉପରାଷ୍ଟ୍ରପତି ପଦରୁ ୧୯୮୭ ମସିହାରେ ଇସ୍ତଫା ଦେଇଥିଲେ।
ତୃତୀୟ ବ୍ୟକ୍ତି ଭାବେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼। ରାଜସ୍ଥାନର ଝୁନଝୁନୁ ଜିଲ୍ଲା ଅଧୀନ କିଥାନା ଗ୍ରାମରେ ଧନଖଡ଼ ୧୯୫୧ ମେ’ ୧୮ରେ ଜନ୍ମ ହୋଇଥିଲେ। ରାଜସ୍ଥାନ ବାର୍ କାଉନସିଲଠାରୁ ଓକିଲାତି ଜୀବନରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା। ଶେଷରେ ସେ ଭାରତର ଉପରାଷ୍ଟ୍ରପତି ପଦ ଭଳି ବଡ଼ ସାମ୍ବିଧାନିକ ପଦରେ ବସିବାର ସୌଭାଗ୍ୟ ଲାଭ କରିଥିଲେ। ଉପରାଷ୍ଟ୍ରପତି ହେବା ପୂର୍ବରୁ ସେ ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ। ଚନ୍ଦ୍ରଶେଖରଙ୍କ ସରକାରରେ ସେ କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ଧନଖଡ଼ ବିଜେପି, କଂଗ୍ରେସ ଏବଂ ଜନତା ଦଳରେ ରାଜନୀତି କରିଛନ୍ତି। ସେ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ଥିଲେ ଏବଂ ୧୯୯୩ରୁ ୧୯୯୮ ରାଜସ୍ଥାନ ବିଧାନସଭାରେ କଂଗ୍ରେସ ସଦସ୍ୟ ଭାବେ ପ୍ରତିନିଧିତ୍ବ କରିଥିଲେ।
