ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ରୂପ
ସବୁଆଡ଼େ ରାମଙ୍କ ଜୟ ଜୟ କାର । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସେହି ଦିବ୍ୟ ଝଲକ ଦେଖିବା ପାଇଁ ଚାହିଁ ବସିଥିଲେ ବିଶ୍ୱବାସୀ । ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାମ୍ନାକୁ ଆସିଛି ରାମଲାଲାଙ୍କ ପ୍ରଥମ ଝଲକ । ନୀଳ ଓ କଳା ମିଶ୍ରିତ ପଥରରେ ଅତି ନିଖୁଣ ଭାବେ ରାମଲାଲାଙ୍କ ଏହି ବାଳ ସ୍ୱରୂପକୁ ରୂପ ଦିଆଯାଇଛି । ୫ ବର୍ଷର ବାଳକ ସ୍ୱରୂପ ପରି ରହିଛି ଶ୍ରୀରାମଙ୍କ ଏହି ପ୍ରତିମା । ପ୍ରତିମାନେ ସନାତନ ଧର୍ମର ଚିହ୍ନ ରହିଛି । ରାମଲଲାଙ୍କ ମଥାରେ ସୂର୍ଯ୍ୟଙ୍କ ଛବି ଖୋଦିତ ହୋଇଛି । ଡାହାଣ ହାତରୁ ରାମଲାଲା ଆଶୀର୍ବାଦ ଦେଉଛନ୍ତି । ବାମ ହାତରେ ଭଗବାନ ଧନୂ-ତୀର ଧରିଛନ୍ତି । ପୂର୍ବରୁ ମଧ୍ୟ ରାମଲାଲାଙ୍କ ଏକ ଫଟୋ ସମସ୍ତଙ୍କ ସାମ୍ନାକୁ ଆସିଥିଲା। ଆଜି ତାହାର ସ୍ପଷ୍ଟ ଫଟୋ ଆସିଛି । ଯାହାକି କୋଟି କୋଟି ରାମଭକ୍ତଙ୍କୁ ଅଧିକ ଉତ୍କଣ୍ଠିତ କରିଛି । ଆସନ୍ତା ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବ ମୁଖରିତ ହେଲାଣି ଅଯୋଧ୍ୟା ନଗରୀ । ପୂଜାପାଠ ପରେ ଆସ୍ଥାନ ଭିତରେ ବହୁମୂଲ୍ୟ ରତ୍ନ ରଖାଯିବା ପରେ ରାମଲାଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯାଇଛି । ବୁଧବାର ରାମଲାଲାଙ୍କ ମୂର୍ତ୍ତି ମନ୍ଦିର ପରିସରକୁ ଅଣାଯାଇଥିଲା । ଗର୍ଭଗୃହରେ ସ୍ଥାପନ ପୂର୍ବରୁ ମନ୍ଦିର ପରିସରରେ ମୂର୍ତ୍ତି ପରିକ୍ରମା କରିବାର ଯୋଜନା ଥିଲା । ମାତ୍ର ମୂର୍ତ୍ତିର ଓଜନ ଅଧିକ ହେବାରୁ ଏହା ଜାଗାରେ ୧୦ କେଜିର ଚାନ୍ଦି ମୂର୍ତ୍ତି ମନ୍ଦିର ପରିସରରେ ବୁଲାଯାଇଥିଲା । ପରେ ରାମଲାଲାଙ୍କ ମୂର୍ତ୍ତିକୁ ଆସ୍ଥାନରେ ବିରାଜମାନ କରାଯାଇଥିଲା । ଶନିବାର ୮୧ କଳସ ଜଳଦ୍ୱାରା ଗର୍ଭଗୃହକୁ ଶୁଦ୍ଧିକରଣ କରାଯିବ । ୨୧ ତାରିଖରେ ୧୨୫ କଳସ ଜଳରେ ରାମଲଲାଙ୍କୁ ସ୍ନାନ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯିବ । ୨୨ ତାରିଖରେ ରାମଲଲାଙ୍କ ଅଚଳମୂର୍ତିର ପ୍ରାଣପ୍ରତିଷ୍ଠା ହେବ । କିନ୍ତୁ ରାମଲଲାଙ୍କ ମୂର୍ତି ପ୍ରାଣପ୍ରତିଷ୍ଠାର ବିଧିବଦ୍ଧ କର୍ମକାଣ୍ଡ ଗୁରୁବାର ଗଣେଶ ପୂଜନରୁ ଆରମ୍ଭ ହୋଇ ସାରିଛି । ମଣ୍ଡପ ପୂଜା କ୍ରମରେ ମନ୍ଦିର ତୋରଣ, ଦ୍ୱାର, ଧ୍ୱଜା, ଆୟୁଧ, ପତାକା, ଦିଗପାଳ, ଦ୍ୱାରପାଳଙ୍କ ପୂଜା କରାଯାଇଥିଲା । ସେହିପରି ୫ଜଣ ବୈଦିକ ଆଚାର୍ଯ୍ୟ ଚାରି ବେଦର ପାରାୟଣ ଆରମ୍ଭ କରିଦେଇଛନ୍ତି । ଅଯୋଧ୍ୟାରେ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଗଲାଣି । ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଁଚି ରାମଲଲାଙ୍କ ଦର୍ଶନ କରିଛନ୍ତି । ପ୍ରତିଷ୍ଠା ଉତ୍ସବ ପାଇଁ ହୋଇଥିବା ଟେଂଟସିଟି ପରିଦର୍ଶନ କରିଛନ୍ତି । ଏହାସହ ୨୨ ଜାନୁଆରିରେ ହେବାକୁ ଥିବା ପ୍ରତିଷ୍ଠା ସମାରୋହର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
