ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାଇରାଲ ଫଟୋକୁ ନେଇ ପ୍ରଶ୍ନ

ପ୍ରଭୁ ରାମଙ୍କ ପ୍ରତିମା ଫଟୋ ଭାଇରାଲକୁ ନେଇ ବିବାଦ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭଗବାନଙ୍କ ପ୍ରତିମାର ଫଟୋ ଭାଇରାଲକୁ ନେଇ ଉଠିଲା ପ୍ରଶ୍ନ । ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ପ୍ରଭୁ ରାମଙ୍କ ପ୍ରତିମା ଫଟୋ ଭାଇରାଲକୁ ନେଇ ବିବାଦ ମୁଣ୍ଡ ଟେକିଛି । ଶ୍ରୀରାମଲଲାଙ୍କ ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ରୀରାମଙ୍କ ପ୍ରତିମାର ଫଟୋ ସାର୍ବଜନୀନ ହେବା ଉଚିତ୍ ନୁହେଁ କହିଛନ୍ତି ମୁଖ୍ୟ ପୂଜକ ପଣ୍ଡିତ ସତ୍ୟେନ୍ଦ୍ର ଦାସ । ଯେଉଁ ଫଟୋଟି ଭାଇରାଲ ହେଉଛି ତାହା ରାମଲଲାଙ୍କ ହୋଇ ନଥିବ ବୋଲି ସେ କହିଛନ୍ତି । ଯଦି ଭାଇରାଲ ଫଟୋଟି ରାମଲଲାଙ୍କର ତା’ହେଲେ କିଏ ଓ କେମିତି ଫଟୋ ଭାଇରାଲ କଲା ଏହାର ତଦନ୍ତ ହେବା ଜରୁରୀ ବୋଲି ସେ ଦାବି କରିଛନ୍ତି । ଆଗକୁ ସେ କହିଛନ୍ତି, ବିଧି ଅନୁସାରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ କୌଣସି ପ୍ରତିମା ମୁଖରୁ ପରଦା ଉଠାଯାଏ ନାହିଁ । ଗର୍ଭଗୃହରେ ମଧ୍ୟ ଶ୍ରୀରାମଙ୍କ ମୁଖରେ ପଟ୍ଟି ରହିଛି । ଭାଇରାଲ ହେଉଥିବା ଫଟୋ ପୂର୍ବରୁ ନିଆଯାଇଛି ନଚେତ୍ ଶ୍ରୀରାମଲଲାଙ୍କ ପ୍ରକୃତ ଫଟୋ ନୁହେଁ ବୋଲି କହିଛନ୍ତି ସତୈନ୍ଦ୍ର ।