୨୪ଲକ୍ଷ ଦୀପରେ ଆଲୋକିତ ହେବ ଅଯୋଧ୍ୟା !

ଦୀପାବଳି ପାଇଁ ସଜେଇ ହେଉଛି ଶ୍ରୀରାମ ଜନ୍ମଭୂମି

ରାତି ପାହିଲେ ଦୀପାବଳି , ହିନ୍ଦୁଧର୍ମର ଏକ ବଡ ପର୍ବ ଭାବେ ପାଳିତ ହୋଇଥାଏ । ଅସତ୍ୟ ଉପରେ ସତ୍ଯର ବିଜୟ ତଥା ଅନ୍ଧକାର ଉପରେ ଆଲୋକର ବିଜୟ ଦୀପାବଳିର ବଡ ମାହାତ୍ମ୍ୟ । ତେବେ ସାରା ଦେଶରେ ଏହାକୁ ବେସ ଧୂମଧାମରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ହିସାବରେ ଏହାକୁ ପାଳନ କରାଯିବ । ଏହି ଅବସରରେ ସଜେଇ ହୋଇଛି ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା । ଦୀପାବଳି ଅବସରରେ ପୁଣିଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ରାମନଗରୀ ଅଯୋଧ୍ୟା । ଆଜି ଅଯୋଧ୍ୟାକୁ ଏକାସାଙ୍ଗରେ ୨୪ ଲକ୍ଷ ଦୀପରେ ଆଲୋକିତ କରାଯିବ । ଏଥିପାଇଁ ରାମଙ୍କ ପୀଠ ଓ ଚୌଧୁରୀ ଚରଣ ସିଂହଙ୍କ ଘାଟ ସମେତ ୫୧ଟି ପ୍ରମୁଖ ଘାଟରେ ପ୍ରସ୍ତୁତି କରାଯାଇଛି । ଦୀପାବଳି ପାଇଁ ସଜେଇ ହୋଇଛି ସାରା ସହର ।

ସେହିପରି ଦୀପୋତ୍ସବରେ ଲେଜର ସୋ’ ଆୟୋଜନ କରାଯାଇଛି । ରାମଙ୍କ ପାଦଦେଶରେ ଲେଜର ସୋ’ରେ ରାମଙ୍କ ଜୀବନର ଝଲକ ଦେଖିବାକୁ ମିଳିବ । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଦୀପୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଦୀପୋତ୍ସବରେ ପୁଣି ଥରେ ବିଶ୍ୱ ରେକର୍ଡ କରିବେ । ଗତବର୍ଷ ଦୀପାବଳିରେ ୧୫ ଲକ୍ଷ ଦୀପ ଲଗାଇବା ପାଇଁ ୨.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଚଳିତ ବର୍ଷ ୨୪ଲକ୍ଷ ଦୀପଜାଳି ଏକ ନୂଆ ରେକର୍ଡ କରିବ ରାମ ଜନ୍ମଭୂମି । ଯାହାକୁ ଅପେକ୍ଷା କରିଛନ୍ତି ସାରା ଦେଶବାସୀ ତଥା ପ୍ରତ୍ଯେକ ରାମଭକ୍ତ ।