ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ

ନାରୀ ଶକ୍ତି ବନ୍ଦନ ଅଧିନିୟମରେ ମୋହର ମାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମହିଳା ସଂରକ୍ଷଣ ବିଲକୁ ମିଳିଲା ଅନୁମୋଦନ । ଏହି ନାରୀ ଶକ୍ତି ବନ୍ଦନ ଅଧିନିୟମରେ ମୋହର ମାରିଛନ୍ତି ଖୋଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ବିଲ ସେପ୍ଟେମ୍ବର ୨୦ ତାରିଖରେ ଲୋକସଭାରେ ୨୧ ତାରିଖରେ ରାଜ୍ୟସଭାରେ ପାରିତ ହୋଇଥିଲା । କୌଣସି ବିଲ୍ ଉଭୟ ସଦନରେ ପାରିତ ହେବା ପରେ ଏହାକୁ ଆଇନରେ ପରିଣତ କରିବାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥାଏ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ‘ମହିଳା ବିଲ୍’ । ବିଧାନସଭା ଓ ଲୋକସଭାରେ ଏବେ ୩୩ ପ୍ରତିଶତ ସଂରକ୍ଷଣ ରହିବ । କିନ୍ତୁ ୨୦୨୪ ନିର୍ବାଚନରେ ଏହି ଆଇନ ଲାଗୁ ହେବ ନାହିଁ ।

ସୂଚନା ଅନୁସାରେ ୨୦୧୮ରେ ଓଡ଼ିଶା ବିଧାନସଭାରେ ପାରିତ ହୋଇଥିଲା ପ୍ରସ୍ତାବ । ୨୨ ରାଜନୈତିକ ଦଳର ସହମତି ଆଣିଥିଲା ବିଜେଡି । ବିଜେଡି ୨୦୧୯ରେ ଦେଇଥିଲା ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ । ପୌର ଓ ପଞ୍ଚାୟତରେ ୫୦ ପ୍ରତିଶତରୁ ଅଧିକ ମହିଳା ନିର୍ବାଚିତ । ମହିଳା ସଂରକ୍ଷଣ ନେଇ ନବୀନ ଉଠାଇଥିଲେ ଦାବି । ଆଜି ନାରୀ ଶକ୍ତି ବନ୍ଦନ ଅଧିନିୟମରେ ରାଷ୍ଟ୍ରପତି ମୋହର ମାରିଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଖୁସି ଦେଖିବାକୁ ମିଳିଛି ।