ଆନ୍ଧ୍ର ଟ୍ରେନ୍ ଟ୍ରାଜେଡି, ବଢୁଛି ମୃତକଙ୍କ ସଂଖ୍ୟା !

ଟ୍ରେନ୍ ଦୁର୍ଘଟଣା-୧୪ମୃତ, ୫୦ରୁ ଊର୍ଦ୍ଧ୍ଵ ଆହତ !

ବାହାନଗା ଟ୍ରେନ ଟ୍ରାଜେଡି ପରେ ପୁଣି ସଭିଙ୍କୁ ଦୋହଲାଇ ଦେଇଛି ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତୀ ଅଞ୍ଚଳରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା । ସତେ ଯେମିତି ଲୌହ ଦାନବଟା ରକ୍ତ ଭୋଜି କରିବାକୁ ପୁରା ପ୍ରସ୍ତୁତ ଥିଲା । ବିଜୟନଗରମ୍ ଜିଲ୍ଲା କାଣ୍ଟାକାପାଲ୍ଲୀ ଓ ଆଲମଣ୍ଡା ଷ୍ଟ୍ରେସନ ମଧ୍ୟରେ ଗତକାଲି ରାତିରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ବଢୁଛି ମୃତକଙ୍କ ସଂଖ୍ୟା । ରେଳ ବିଭାଗ ପକ୍ଷରୁ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଓ ୨୯ ଜଣ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ବର୍ତମାନ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ଓ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି । ଆହତ ଯାତ୍ରାଙ୍କ ମଧ୍ୟରେ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଆଶଙ୍କା ରହିଛି ।

ସୂଚନା ଅନୁସାରେ ଶନିବାର ସଂଧ୍ୟା ୭ଟା ସମୟରେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କାଣ୍ଟାକାପାଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା ପଲାସା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ । ଠିକ୍ ଏହି ସମୟରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ ପଛ ପଟୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଏନଡିଆରଏଫ୍ ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ଆହତଙ୍କୁ ବିଶାଖାପଟଣା ସ୍ଥିତ କିଙ୍ଗସ୍ ଜର୍ଜ ହସପିଟାଲ୍, ରେଳବାଇ ହସପିଟାଲ୍ ଓ ବିଜୟନଗରମ୍ର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଛି । ବିଜୟନଗରମ୍ ଜିଲ୍ଲାର ଏସପି ଓ ଜିଲ୍ଲାପାଳ ମଧ୍ୟ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ୧୦ଟି ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ପହଁଚି ଆହତଙ୍କୁ ଚିକିତ୍ସା ଯୋଗାଇ ଦେଇଥିଲେ । ବିଶାଖାପାଟନମ-ପଲାସା ଟ୍ରେନର ୧୧ଟି କୋଚକୁ ଆଲମଣ୍ଡା ଷ୍ଟେସନକୁ ନିଆଯାଇଛି ।

ସେହିପରି ବିଶାଖାପାଟନମ- ରାୟଗଡା ପାସେଞ୍ଜର ଟ୍ରେନର ୯ଟି କୋଚକୁ କଣ୍ଟକାପାଲ୍ଲୀକୁ ଟାଣି ଅଣାଯାଇଛି । ଲାଇନଚ୍ୟୁତ ସମସ୍ତ ବଗିକୁ ହଟାଇ ରେଳ ଟ୍ରାକ ମରାମତି କରାଯାଉଥିବା ସୂଚନା ମିଳିଛି ।ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ଯାତ୍ରୀଙ୍କ ସମ୍ପର୍କୀୟଙ୍କ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ପ୍ରତ୍ୟେକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ସେ ରାଜ୍ୟର ଆହତ ହୋଇଥିବା ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଅନ୍ୟ ରାଜ୍ୟରୁ ମୃତକଙ୍କ ପରିବାର ପାଇଁ ସେ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିବାବେଳେ ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ସେପଟେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆଘାତଙ୍କ ପାଇଁ ୫୦ହଜାର ଟଙ୍କା ସହାୟତା ରାଶି ଘୋଷନା କରାଯାଇଥିବା ସୂଚନା ଦେଇଛନ୍ତି।