ରାଜକୀୟ ଥାଟରେ ସମ୍ପନ୍ନ ହେଲା ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ

ସାତ ଜନ୍ମର ସାଥି ହେଲେ ଅନନ୍ତ-ରାଧିକା

ସାତ ଜନ୍ମର ସାଥି ହେଲେ ଅନନ୍ତ-ରାଧିକା । ରାଜକୀୟ ଥାଟରେ ସମ୍ପନ୍ନ ହେଲା ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ । ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବାହାଘର ହୋଇଛି। ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରେ ଅନୁଷ୍ଠିତ ଏହି ସମାରୋହରେ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ଦୁନିଆର ସବୁଠୁ ବ୍ୟୟ ବହୁଳ ବିବାହ ଉତ୍ସବ ଶେଷ ହୋଇଛି। ମୁକେଶ ଅମ୍ବାନୀ ତାଙ୍କ ପୁଅ ଅନନ୍ତ ଏବଂ ବୋହୂ ରାଧିକାଙ୍କ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି। ଚର୍ଚ୍ଚା ହେଉଛି, ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୩ରୁ ୫ ହଜାର କୋଟି ଟଙ୍କା । ନିଜ ବିବାହ ଉତ୍ସବରେ ଅନନ୍ତ ଅମ୍ବାନୀ ଗୋଲଡେନ କଲରର ଶେରୱାନୀ ପିନ୍ଧିଥିବା ବେଳେ ରାଧିକା ଲାଲ ଓ କ୍ରିମ୍‌ ରଙ୍ଗର ଗୁଜରାଟୀ ଲେହେଙ୍ଗା ପିନ୍ଧିଥିଲେ। ଏହା ରାଧିକାଙ୍କୁ ରୟାଲ ଲୁକ୍‌ ଦେଉଥିଲା। ସୋସିଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅନନ୍ତ ଅମ୍ବାନୀ ବରଯାତ୍ରୀ ଧରି ବିବାହ ମଣ୍ଡପରେ ପହଞ୍ଚିବା ପରେ ରାଧିକା ବି ସେମାନଙ୍କ ସହ ମିଶି ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଅନନ୍ତ- ରାଧିକାଙ୍କ ବରଣମାଳା ଗତକାଲି ଶେଷ ହୋଇଥିବା ବେଳେ ଏହି ଗ୍ରାଣ୍ଡ ଫାଙ୍କସନ୍‌ ଆସନ୍ତାକାଲି ଯାଏ ଚାଲିବ । ରାଜନୀତିଠାରୁ ଆରମ୍ଭ କରି ସିନେମା, କ୍ରୀଡ଼ା, ସଙ୍ଗୀତ ଓ ବ୍ୟବସାୟ ଜଗତର ଅନେକ ବିଶିଷ୍ଟ ଚେହେରାଙ୍କୁ ବିବାହ ଉତ୍ସବରେ ଦେଖିବାକୁ ମିଳିଛି। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଡବ୍ଲୁଡବ୍ଲୁଇ ତାରକା ଜନ୍ ସିନା, ବଲିଉଡ୍ ଜଗତର ଅମିତାଭ ବଚ୍ଚନ ଓ ତାଙ୍କ ପରିବାର ସଦସ୍ୟ, ସଲମାନ୍ ଖାନ୍, ଶାହରୁଖ ଖାନ୍, ଗୌରୀ ଖାନ୍, ରଣବୀର କପୁର, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ନିକ୍ ଜୋନାସ୍, ମାଧୁରୀ ଦିକ୍ଷୀତ, ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁ, କିମ୍ କର୍ଦାସିଆନ୍, ଆୟୁଷ ଶର୍ମା, ଜ୍ୟାକି ଶ୍ରଫ୍, କ୍ରିକେଟ୍ ତାରକା ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଚର୍ଚ୍ଚିତ ଚେହେରା ବିବାହରେ ଯୋଗ ଦେଇଥିଲେ।