ଜେଲରୁ ନେଟୱାର୍କ ଅପରେଟ କରୁଥିଲେ ଅମୃତପାଲ!

ଅମୃତପାଲ ପାଖରୁ ମିଳିଲା ସ୍ପାଏ କ୍ୟାମେରା

ଆସାମର ଦିବ୍ରୁଗଡ ଜେଲର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ମାମଲା ସାମ୍ନାକୁ ଆସିଛି। ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କ କୋଠରୀରୁ ମୋବାଇଲ ଫୋନ, ସ୍ପାଏ କ୍ୟାମେରା ଏବଂ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଏହି କାରଣରୁ ସେ ଜେଲ ଭିତରୁ ନିଜ ନେଟୱାର୍କ ଚଳାଉଥିବାର ଆଶଙ୍କା କରାଯାଉଛି। ସୂଚନାନୁସାରେ, ଜେଲ ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ଗୁପ୍ତ ସୂଚନା ପାଇଥିଲେ ଯେ କିଛି ଲୋକ ଦିବ୍ରୁଗଡ ଜେଲ ଭିତରେ ମୋବାଇଲ ଫୋନ ବ୍ୟବହାର କରୁଥିଲେ। ଏଥିପାଇଁ କିଛି ମନୋନୀତ ପଏଣ୍ଟରେ କ୍ୟାମେରା ସେଟଅପ କରାଯାଇଥିଲା । କ୍ୟାମେରା ଫୁଟେଜ ଆଧାରରେ ଜେଲର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଶନିବାର ଏହି ଚଢ଼ାଉ ବେଳେ ସେଲରୁ ପେନ ଡ୍ରାଇଭ, ସ୍ପାଏ କ୍ୟାମେରା, ସ୍ପିକର, ସ୍ମାର୍ଟ ୱାଚ, କିପ୍ୟାଡ ଫୋନ ଏବଂ ବ୍ଲୁଟୁଥ ହେଡଫୋନ ଜବତ କରାଯାଇଛି। ଉଦ୍ଧାର ହୋଇଥିବା ମୋବାଇଲ ଫୋନର କଲ ରେକର୍ଡକୁ ପୋଲିସ ଯାଞ୍ଚ କରୁଛି।