ସେପ୍ଟେମ୍ବର ୨ରେ ମିଶନ ସୂର୍ଯ୍ୟ !
ପୁଣି ଆଉ ଏକ ଇତିହାସ ଲେଖିବାକୁ ଯାଉଛି ଇସ୍ରୋ । ଚନ୍ଦ୍ରଯାନର ସଫଳତା ପରେ ଏବେ ଇସ୍ରୋର ସୂର୍ଯ୍ୟ ମିଶନ । ସେପ୍ଟେମ୍ବର ୨ତାରିଖରେ ଭାରତ ଆରମ୍ଭ କରିବ ସୂର୍ଯ୍ୟ ମିଶନ । ଏନେଇ ତାରିଖ ଘୋଷଣା କରିଛି ଇସ୍ରୋ। ବିଜ୍ଞାନର ଧାରାକୁ ବୃଦ୍ଧି ତଥା ନୂଆ ନୂଆ ଆଶା ନେଇ ଆଗକୁ ବଢୁଛି ଇସ୍ରୋ । ସୌରକ୍ଷେତ୍ର ଉପରେ ତଥ୍ୟ ହାସଲ କରିବାକୁ ସ୍ପେସ ମେସିନ ପଠାଇବ ଇସ୍ରୋ । ସୂର୍ଯ୍ୟ-ପୃଥିବୀର ଲାଗରେଞ୍ଜ ପଏଣ୍ଟ-୧ ଚାରିପାଖରେ ଅର୍ଥାତ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ହାଲୋ ଅରବିଟରେ ଅବସ୍ଥାପିତ ହେବ ଆଦିତ୍ୟ-L1 ।
ବିଭିନ୍ନ ଗବେଷଣା ଲାଗି ଆଦିତ୍ୟ L1 ସହ ପଠାଯିବ ୭ଟି ପେ-ଲୋଡ । ସେମାନେ ଅଲଗା ଅଲଗା ୱେଭ ବ୍ୟାଣ୍ଡରେ ଫୋଟୋ ସ୍ପେୟର, କ୍ରୋମୋ ସ୍ପେୟର ଏବଂ ସୂ୍ର୍ଯ୍ୟର ସବୁଠାରୁ ବାହାର ସ୍ତର କରୋନାର ପର୍ଯ୍ୟବେକ୍ଷଣ କରିବାରେ ସାହାଯ୍ୟ କରିବ । ଆଦିତ୍ୟ ଏଲ-୧ ସମ୍ପୂର୍ଣ ସ୍ୱଦେଶୀ ମିଶନ ବୋଲି ଇସ୍ରୋର ପକ୍ଷରୁ କୁହାଯାଇଛି । ସବୁଠୁ ବଡ କଥା ହେଲା ସାଟେଲାଇଟର ଓଜନ ୧୫ ଶହ କେଜି ହୋଇଥିବାବେଳେ ଏହାକୁ ଶ୍ରୀହରିକୋଟାରୁ ପିଏସଏଲଭି ଜରିଆରେ ଉତକ୍ଷେପଣ କରାଯିବ । ଯାହା ଭାରତୀୟ ଗବେଷଣା କ୍ଷେତ୍ରରେ ଆଉ ଏକ ଗୌରବମୟ ବିଷୟ ।