ସୂର୍ଯ୍ୟ ମିଶନକୁ ନେଇ ବଡ଼ ଅପଡେଟ୍

ଜାନୁଆରୀ ୬ରେ L-1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ

ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1କୁ ନେଇ ଏକ ବଡ଼ ଅପଡେଟ୍। ଖୁବଶୀଘ୍ର ଆଦିତ୍ୟ L1 ତା’ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍‌.ସୋମନାଥ। ସେ କହିଛନ୍ତି, ୬ ଜାନୁଆରୀ ୨୦୨୪ରେ ଆଦିତ୍ୟ L1 ସୂର୍ଯ୍ୟଙ୍କ ନିକଟତମ L-1 ପଏଣ୍ଟରେ ପହଞ୍ଚିବ। ତେବେ ଏହା କେତେବେଳେ ପହଞ୍ଚିବ ତା’ର ନିର୍ଦ୍ଧିଷ୍ଟ ସମୟ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ। କିନ୍ତୁ ୬ ଜାନୁୟାରୀରେ ଏହା L-1 ପଏଣ୍ଟରେ ପହଞ୍ଚିବ। ଯେତେବେଳେ ଆଦିତ୍ୟ L1 ସୂର୍ଯ୍ୟଙ୍କ ନିକଟତମ L-1 ପଏଣ୍ଟରେ ପହଞ୍ଚିବ, ସେତେବେଳେ ଆମକୁ ପୁଣି ଥରେ ଇଞ୍ଜିନ ଫାୟର କରିବାକୁ ପଡ଼ିବ। ଯାହାଫଳରେ ଏହା ଯେପରି ଏହି ପଏଣ୍ଟଠାରୁ ଆଗକୁ ନ ଯାଏ । ଥରେ L-1 ପଏଣ୍ଟରେ ପହଞ୍ଚିବା ପରେ, ଏହା L-1 ପଏଣ୍ଟର ଚାରିପାଖରେ ଘୂରିବା ଆରମ୍ଭ କରିବ। ଥରେ ଆଦିତ୍ୟ L-1 ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଏହା ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିବ ଏବଂ ସେଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିବ। ତେବେ ଏହି ଉପଲବ୍ଧି କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ।