ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1।
ସୂର୍ଯ୍ୟ ମିଶନରେ ଆଉ ପାଦେ ଆଗକୁ ବଢିଲା ଇସ୍ରୋ । ଆଉ ଏକ ମାଇଲ୍ଖୁଣ୍ଟ ଅତିକ୍ରମ କଲା ଭାରତ । ୧୭୮ ଦିନରେ ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1। ଏନେଇ ଇସ୍ରୋ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ଗତବର୍ଷ ସେପ୍ଟେମ୍ବର ୨ରେ ଉତକ୍ଷେପଣ ପରେ ଗତ ଜାନୁଆରୀ ୬ ତାରିଖରେ ପ୍ରଥମ ଲାଗ୍ରାଞ୍ଜିଆନ ପଏଣ୍ଟରେ ପହଞ୍ଚିଥିଲା ଆଦିତ୍ୟ L1।
ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଏହାକୁ ଏକ ହାଲୋ ଅର୍ବିଟରେ ଅବସ୍ଥାପିତ କରାଯାଇଥିଲା । ଏଭିତରେ ସୂର୍ଯ୍ୟ ସଂପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଫଟୋ ଇସ୍ରୋକୁ ପଠାଇସାରିଛି ଭାରତର ଏହି ସୋଲାର୍ ଅବଜର୍ଭେଟୋରି। ତେବେ ଏହାକୁ ନିଜ ଗତିପଥରେ ବଜାୟ ରଖିବା ପାଇଁ ଫେବୃଆରୀ ୨୨ ଓ ଜୁନ୍ ୭ ପରେ ଆଜି ତୃତୀୟ ଷ୍ଟେସନ କିପିଂ ମାନ୍ୟୁଭର କରାଯାଇଛି। ସଫଳତାର ସହ ଆଦିତ୍ୟ L1କୁ ଦ୍ବିତୀୟ ଅର୍ବିଟରେ ଅବସ୍ଥାପିତ କରିଛି ଇସ୍ରୋ । ସୂଚନା ଯୋଗ୍ୟ ଯେ, ସୂର୍ଯ୍ୟର ବିଭିନ୍ନ ସ୍ତର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ କରୋନା ସଂପର୍କିତ ତଥ୍ୟ ସଂଗ୍ରହ କରୁଥିବା ଆଦିତ୍ୟ L1 ଆଗାମୀ ୫ ବର୍ଷ ପାଇଁ ନିରନ୍ତର କାର୍ଯ୍ୟ କରିବ ବୋଲି ଯୋଜନା ରହିଛି ।