ପ୍ରଧାନମନ୍ତ୍ରୀ ବିତର୍କରେ ସାମିଲ ହେବାକୁ ରାଜି ତ: ରାହୁଲ ଗାନ୍ଧି

‘ଖୋଲା ବିତର୍କ ପାଇଁ ମୁଁ ପ୍ରସ୍ତୁତ, ମୋଦି ରାଜି ତ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ବିତର୍କ ଆହ୍ୱାନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଗ୍ରହଣ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ବିତର୍କରେ ସାମିଲ ହେବାକୁ ପ୍ରସ୍ତୁତ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ପୂର୍ବତନ ବିଚାରପତି ମଦନ ବି ଲୋକୁର, ଅଜିତ ପି. ଶାହ ଏବଂ ବରିଷ୍ଠ ସାମ୍ବାଦିକ ଏନ୍‌ ରାମ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି ଲୋକସଭା ନିର୍ବାଚନ ବେଳେ ଖୋଲା ବିତର୍କରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ। ଏହାଦ୍ୱାରା ଉଭୟ ପକ୍ଷ ପରସ୍ପର ବିରୋଧରେ ଆଣୁଥିବା ଅଭିଯୋଗ ଓ ଚ୍ୟାଲେଞ୍ଜର ଉପଯୁକ୍ତ ଜବାବ ମିଳିପାରିବ ବୋଲି ପୂର୍ବତନ ବିଚାରପତି ଓ ସାମ୍ବାଦିକ ସେମାନଙ୍କ ପତ୍ରରେ ଉଲ୍ଲେଖ କରିଥିଲେ। ଜନସାଧାରଣ କେବଳ ଉଭୟଙ୍କ ଅଭିଯୋଗ ଓ ଚ୍ୟାଲେଞ୍ଜକୁ ଶୁଣି ଅତିଷ୍ଟ ହୋଇପଡ଼ିଥିବାବେଳେ ପରସ୍ପର ମୁହଁରୁ ଅର୍ଥପୂର୍ଣ୍ଣ ପ୍ରତିଜବାବ ଶୁଣିପାରୁ ନାହାନ୍ତି। ରାହୁଲ ସେମାନଙ୍କୁ ଆମନ୍ତ୍ରଣକୁ ଗ୍ରହଣ କରି ଏକ୍ସ’ରେ ଲେଖିଛନ୍ତି, ଗୋଟିଏ ମଞ୍ଚରେ ବୃହତ୍‌ ଦଳର ନେତା ଖୋଲା ବିତର୍କରେ ଭାଗ ନେବା ସୁସ୍ଥ ଗଣତନ୍ତ୍ର ପାଇଁ ସକାରାତ୍ମକ ଆମନ୍ତ୍ରଣ। କଂଗ୍ରସ ଏହାକୁ ସ୍ବାଗତ କରୁଛି। ପ୍ରଧାନମନ୍ତ୍ରୀ ବିତର୍କରେ ଭାଗନେବା ଦେଶ ଆଶା କରେ ବୋଲି ରାହୁଲ କହିଛନ୍ତି। ବିତର୍କରେ ଭାଗ ନେବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଖୁସି ହେବେ। ତେବେ ପ୍ରଧାନମନ୍ତ୍ରୀ ବିତର୍କରେ ସାମିଲ ହେବାକୁ ରାଜି କି ବୋଲି ଜଣାଇବାକୁ ରାହୁଲ କହିଛନ୍ତି।