ପଶ୍ଚିମବଙ୍ଗ ହାୱଡ଼ାରେ ଖାଇବା ତେଲ ଗୋଦାମରେ ନିଆଁ !
ପଶ୍ଚିମବଙ୍ଗରେ ଭୟଙ୍କର ଅଗ୍ନିକାଣ୍ଡ । ପଶ୍ଚିମବଙ୍ଗରେ ହାୱଡ଼ାରେ ସକାଳୁ ସକାଳୁ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ଏକ ଖାଇବା ତେଲ ଗୋଦାମରେ ନିଆଁ ଲାଗି ଯିବାରୁ ତାହା ହୁତୁହୁତୁ ହୋଇ ଜଳିବାକୁ ଲାଗିଛି । ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୀର୍ଘ ଘଣ୍ଟାର ପରିଶ୍ରମ କରିବା ସତ୍ତ୍ୱେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇ ନ ଥିବା ଜଣାଯାଇଛି। ସୂଚନା ଅନୁସାରେ ହାଓଡ଼ା ଜିଲ୍ଲାର ଇଣ୍ଡଷ୍ଟ୍ରିଆଲ ପାର୍କରେ ଥିବା ଏକ ତେଲ ଗୋଦାମରେ ଆଜି ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା । କୋଟି କୋଟି ଟଙ୍କାର ସମ୍ପତି ଜଳିଯାଇଥିବା ସୂଚନା ମିଳିଛି । ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ଘଂଟାର ପରିଶ୍ରମପରେ ବି ଏଯାଏଁ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ କରାଯାଇ ପାରିନାହିଁ ।
ନିଆଁ ଲାଗିଥିବା ଗୋଦାମ ଶିଳ୍ପାଞ୍ଚଳରେ ଥିବାରୁ ଆଖପାଖରେ ଅନେକ ଇଣ୍ଡଷ୍ଟ୍ରି ଓ ଗୋଦାମ ରହିଛି । ତେବେ ଏହି ଅଂଚଳରେ ନିଆଁ ଯେମିତି ନବ୍ୟାପେ ସେଥିପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ଅଗ୍ନିଶମ ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ତେବେ ଗୋଦାମରେ ଥିବା କୋଟି କୋଟି ଟଙ୍କାର ସାମଗ୍ରୀ ଛାରଖାର ହୋଇଯାଇଛି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଦେଖିବାକୁ ମିଳିଛି ।