ବାଂଲାଦେଶରେ ପୁଣି ଦେଖାଦେଇଛି ହିଂସା

ବାଂଲାଦେଶରେ ପୁଣି ହିଂସା, ୯୩ ଜଣଙ୍କ ମୃତ୍ୟୁ

ବାଂଲାଦେଶରେ ପୁଣି ଦେଖାଦେଇଛି ହିଂସା । ୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଲେ ଥାନାରେ ୧୩ ପୋଲିସ କର୍ମୀଙ୍କୁ ପିଟି ହତ୍ୟା କରିଛନ୍ତି ଆନେ୍ଦାଳନକାରୀ । ଦେଶବ୍ୟାପି କର୍ଫ୍ୟୁ ଲାଗିବା ସହ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ସ୍ଥିତି ସଙ୍ଗୀନ ଥିବାରୁ ସରକାରଙ୍କ ପକ୍ଷରୁ ୩ଦିନ ଛୁଟି ଘୋଷଣା କରାଯାଇଛି । ଚାକିରିରେ ସଂରକ୍ଷଣକୁ ନେଇ ବାଂଲାଦେଶରେ ପୁଣି ହିଂସାକାଣ୍ଡ ଆରମ୍ଭ ହୋଇଯାଇଛି। ଏଥର ହଜାର ହଜାର ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ସରକାରୀ ସମ୍ପଭି ଜଳାପୋଡ଼ା ଏବଂ ଭଙ୍ଗାରୁଜା କରିଛନ୍ତି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ ଏବଂ ସ୍ଟ୍ରୋକ୍ ଗ୍ରେନେଡ୍ ମାଡ଼ କରିଛି।

ଆନ୍ଦୋଳନକାରୀମାନେ ଏଥର ଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ଜୋରଦାର କରିଛନ୍ତି । ସେ ଇସ୍ତଫା ନ ଦେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ହସିନା ଚଳିତବର୍ଷ ଜାନୁଆରୀରେ ଲଗାତର ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ଏଥର ପ୍ରମୁଖ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ନିର୍ବାଚନ ଲଢ଼ି ନ ଥିଲା। ବିଏନ୍‌ପି ନିରପେକ୍ଷ ନିର୍ବାଚନ କରାଇବା ପାଇଁ ହସିନାଙ୍କ ଇସ୍ତଫା ଦାବି କରିଥିଲା। ନିର୍ବାଚନ ଫଳ ସାମ୍ନାକୁ ଆସିବା ପରେ ଦେଶରେ ହିଂସା ଓ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା।

ବାଂଲାଦେଶର ମୁନ୍ସିଗଞ୍ଜରେ ପୋଲିସ କ୍ଷମତାସୀନ ଓ ବିରୋଧୀ ଦଳର କାର୍ୟ୍ୟକର୍ତ୍ତାଙ୍କ ମଧ୍ୟରେ ୩ ତରଫା ସଂଘର୍ଷରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୁଗଞ୍ଜ ଜିଲ୍ଲା ହସ୍ପିଟାଲର ସୂଚନା ମୁତାବକ, ଶ୍ରମିକଙ୍କୁ ଗୁଳିମାଡ଼ ହେବା ପରେ ସେମାନଙ୍କ ମୃତ୍ୟୁ ହୋଇଛି। ପୋଲିସ ପକ୍ଷରୁ କୌଣସି ଗୁଳିମାଡ଼ ହୋଇ ନ ଥିବା ସରକାର ସଫେଇ ଦେଇଥିବା ବେଳେ ବିରୋଧୀ ଦଳ ପୁଲିସକୁ ଦାୟୀ କରିଛି। ଏହି ଘଟଣାରେ ୩୦ ଜଣ ଆହତ ବି ହୋଇଛନ୍ତି। ସେହିଭଳି ଉତ୍ତରପୂର୍ବ ଜିଲ୍ଲା ପାବନାରେ କ୍ଷମତାସୀନ ମି ଲିଗର କାର୍ୟ୍ୟକର୍ତ୍ତା ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଜୋରଦାର ମୁହାଁମୁହିଁ ହୋଇଛି। ଏହି ଘଟଣାରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ରାଜଧାନୀ ଢାକାସ୍ଥିତ ବଙ୍ଗବନ୍ଧୁ ଶେଖ ମୁଜିବ ମେଡିକାଲ କଲେଜ ଉପରେ ଆକ୍ରମଣ କରିଛନ୍ତି।

ନରସିଙ୍ଗିଡିରେ ବିକ୍ଷୋଭକାରୀ ଶାସକ ଦଳ ଆମି ଲିଗର ୬ଜଣ କର୍ମକର୍ତ୍ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ସଂରକ୍ଷଣ ବିରୋଧୀ ହିଂସାକାଣ୍ଡରେ ଏ ପର୍ୟ୍ୟନ୍ତ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସରକାରୀ ଚାକିରିରେ ସଂରକ୍ଷଣକୁ ଶେଷ କରିବା ପାଇଁ ଗତମାସରୁ ଆନ୍ଦୋଳନ ଜାରି ରହିଛି। ବାଂଲାଦେଶରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଲାଗି ଭାରତୀୟ ଉଚ୍ଚୟୋଗ ପକ୍ଷରୁ ଆଡ଼ଭାଇଜରି ଜାରି କରାଯାଇଛି। ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସହାୟତା ପାଇଁ ହେଲ୍‌ପଲାଇନ୍ ବି ଜାରି ହୋଇଛି।

Leave a Reply

Your email address will not be published. Required fields are marked *